ରିଆମାଳ,ଏନ୍ଏନ୍ଏସ୍: ରିଆମାଳରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ବର୍ଣ୍ଣାଢ୍ୟ ପରିବେଷରେ ଆରମ୍ଭ ହୋଇଯାଇଛି। ବସଷ୍ଟାଣ୍ଡ ଛକ ଠାରେ ଥିବା ମହାଲକ୍ଷ୍ମୀ କଲ୍ୟାଣ ମଣ୍ଡପରେ ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଏଥିପାଇଁ ଆଜି କଳସଯାତ୍ରା ସହ ଅଧିବାସ ପୂଜନ ଅନୁଷ୍ଠିତ ହୋଇଯାଇଛି। ଧରମପୁର ଆଠପଡ଼ା ତାରିଣୀ ମନ୍ଦିର ସ୍ଥିତ ରାଣୀ ପୋଖରୀରୁ ବରୁଣ ଦେବତାଙ୍କୁ ପୂଜାର୍ଚ୍ଚନା ପରେ ୧୦୮ ଜଣ ମା’ ମାନେ ନିଜ ନିଜ କଳସରେ ଜଳ ଭର୍ତ୍ତି କରି ସାରିଲା ପରେ କଳସ ପୂଜନ ହୋଇଥିଲା ଏବଂ କଳସ ଯାତ୍ରା ଆରମ୍ଭ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ରିଆମାଳ, ଧରମପୁର, ତିମୁର, ବାବରାକୋଟ, ବଡବାହାଳର ପୁରୁଷ ଓ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ମା’ ଲକ୍ଷ୍ମୀଙ୍କ ଭଜନ ଗାନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ। ଦୁଲ୍ ଦୁଲି ବାଜା ମଧ୍ୟ ଯୋଗ ଦେଇଥିଲେ। ଏହା ପରେ ଏକ ବିରାଟ ଶୋଭାଯାତ୍ରରେ ବାହାରି ଲକ୍ଷ୍ମୀ ମଣ୍ଡପକୁ ପହଞ୍ଚି କଳସକୁ ସ୍ଥାପନ କରିଥିଲେ। ରାଜା ଅଗ୍ରୱାଲ ଓ ତାଙ୍କ ସହଧର୍ମିଣୀ ଦିବ୍ୟା ଅଗ୍ରୱାଲ ପୂଜାର କର୍ତ୍ତା ଭାବେ ସଂସାରର ମଙ୍ଗଳ ନିମନ୍ତେ ମା’ ଲକ୍ଷ୍ମୀଙ୍କ ଠାରେ ପ୍ରାର୍ଥନା କରିଥିବା ବେଳେ ତ୍ରୀନାଥ ନାଥ, ସଞ୍ଜୀବ କୁମାର ନନ୍ଦ ପୁରୋହିତ କାର୍ଯ୍ୟ ସମ୍ପାଦନ କରିଥିଲେ।
ନିରଞ୍ଜନ ବସନ୍ତରା ସହଯୋଗ କରିଥିଲେ। ପୂଜା ମଣ୍ଡପରେ ଅଙ୍କୁରାରୋପଣ ଓ ଅଧିବାସ ପୂଜା ସମାପ୍ତ ହୋଇଯାଇଛି। ରବିବାର ମା’ ଗଜଲକ୍ଷ୍ମୀଙ୍କ ପୂଜା ସହ ଜିଲ୍ଲା ସ୍ତରୀୟ ଡ୍ୟାନ୍ସ ପ୍ରତିଯୋଗୀତା ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଅଛି। ବଛା ବଛା ୩୫ଟି ଡ୍ୟାନ୍ସ ଦଳ ଭାଗ ନେବେ। ମହାଗୁରୁ ଭାବେ ପ୍ରଶାନ୍ତ ନାୟକ, ବିଚାରକ ଭାବେ ପ୍ରଗତିଲକ୍ଷ୍ମୀ କପରଦାର, ପ୍ରେମାନନ୍ଦ ସ୍ବାଇଁ, ନାଜର ବେହେରା ଦାୟିତ୍ବ ତୁଲାଇବେ। ବିଜେତାମାନଙ୍କୁ ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ପୂଜା ଅବସରରେ ମଣ୍ଡପ ସମ୍ମୁଖରେ ଆକର୍ଷଣୀୟ ତୋରଣ ଓ ମା’ଙ୍କ ନିକଟରେ ଆକର୍ଷଣୀୟ ମେଢ଼ ପ୍ରସ୍ତୁତ କରାଯାଇଛି। ଲାଇଟ୍ ଗେଟ୍ ଓ ଲିଚୁ ମାଳାରେ ପୂଜା ମଣ୍ଡପ ଝଲସୁଅଛି। ସଭାପତି ଅଧ୍ୟାପକ ଗୋଲବଦନ ବିଶ୍ୱାଳ, ସମ୍ପାଦକ ତୀର୍ଥବାସୀ ବିଶ୍ବାଳ ଓ କୋଷାଧ୍ୟକ୍ଷ ଶମ୍ଭୁଲାଲ ଅଗ୍ରୱାଲଙ୍କ ତତ୍ବାବଧାନରେ ଉପସଭାପତି ବିରେନ ପ୍ରଧାନ, ଗୋପାଳ ଚନ୍ଦ୍ର ସାହୁ, ସହ ସମ୍ପାଦକ ହେମନ୍ତ ପ୍ରଧାନ, ଟୁକୁ ନାୟକ, ଉପଦେଷ୍ଟା ମଣ୍ଡଳୀର ଡ. ଟଙ୍କଧର ନାୟକ, ଶିକ୍ଷାବିତ୍ ବରୋଦା ପ୍ରସାଦ ଦେବ, ତ୍ରିଲୋଚନ ବେହେରା, ମଦନ ବେହେରା, ପ୍ରଫୁଲ୍ଲ ପ୍ରଧାନ, ଅଜୟ ନାଥ ସମେତ ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି।