ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜଗନ୍ନାଥ ମନ୍ଦିର ବିବାଦ ବଢ଼ିବାରେ ଲାଗିଛି । ଆଜି ଦ୍ୱିତୀୟ ଦିନରେ ମନ୍ଦିର ସିଂହ ଦ୍ୱାରରେ ୨ଟି ତାଲା ପଡ଼ିଥିବାବେଳେ ଗତକାଲି ସନ୍ଧ୍ୟାରୁ ନୀତିକାନ୍ତି ହୋଇପାରି ନାହିଁ । ମନ୍ଦିରରେ ତାଲା ପକାଇ ୩୦୦ ବର୍ଷର ରୀତିନୀତିରେ ବାଧା ସୃଷ୍ଟି କରିଥିବାକୁ କେନ୍ଦ୍ର କରି ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ଓ ଯୁବରାଜ ନମନ ଗଙ୍ଗଦେବ ଦେବଗଡ଼ ଥାନାକୁ ଆସି ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଆବାହକ ସୁଧୀର କପର୍ଦାର ଓ ଯୁବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର ଓରଫ ନିଲୁ ବ୍ରହ୍ମାଙ୍କ ସମେତ ଅନ୍ୟାନ୍ୟଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଗତକାଲି ଭଳି ଆଜି ମଧ୍ୟ ସେଣ୍ଟର ଫର କଲଚର କୋଠାରେ ସୁଧୀର କୁମାର କପର୍ଦାରଙ୍କ ଆବାହକତ୍ୱରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହେବାସହ ରାଣୀ ଅରୁନ୍ଧତୀ ଦେବୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ପରେ ଦେବଗଡ଼ ପୌରପରିଷଦ ୬ନମ୍ବର ୱାର୍ଡ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତାଙ୍କ ମଧ୍ୟସ୍ଥତାରେ ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକଙ୍କ ସମ୍ମୁଖରେ ଉଭୟ ପକ୍ଷ ଶ୍ରୀ ଜଗନ୍ନାଥ ମନ୍ଦିରରେ ପଡ଼ିଥିବା ତାଲା ଖୋଲି ଠାକୁରଙ୍କ ନୀତିକାନ୍ତି ସୁଚାରୁ ରୂପେ ଜାରି ରଖିବାକୁ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି ।