ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ ୮ ମୃତ, ଏକାଧିକ ନିଖୋଜ

କୋଲକାତା,ଏଜେନ୍ସି: ବିଜୟା ଦଶମୀରେ ପଶ୍ଚିମବଙ୍ଗ ଜଲପାଇଗୁଡିରେ ବଡ ଅଘଟଣ ଘଟିଯାଇଛି । ମାଲ ନଦୀରେ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ହଠାତ୍ ବନ୍ୟା ପାଣି ମାଡି ଆସିବା ଯୋଗୁଁ ପାଖାପାଖି ୪୦ ଜଣ ଭାସିଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏକାଧିକ ଲୋକେ ଏବେ ବି ନିଖୋଜ ଅଛନ୍ତି । ପୋଲିସ୍ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍ ପକ୍ଷରୁ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜଲପାଇଗୁଡି ଜିଲ୍ଲା ପ୍ରଶାସନ ୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛି ।

ସୂଚନା ମୁତାବକ, ଗତକାଲି(ବୁଧବାର) ସନ୍ଧ୍ୟା ସମୟରେ ଏହି ଅଘଟଣ ଘଟିଥିଲା । ସନ୍ଧ୍ୟାରେ ୪୦ରୁ ଅଧିକ ଲୋକେ ମାଲବଜାର ନିକଟ ମାଲ ନଦୀରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ କରୁଥିଲେ । ହଠାତ୍ ଏତିକି ବେଳେ ନଦୀରେ କୃତ୍ରିମ ବନ୍ୟା ଆସିଥିଲା । ଫଳରେ ସମସ୍ତେ ଭାସି ଯାଇଥିଲେ । କିନ୍ତୁ ଠିକ୍ ସମୟରେ ଉଦ୍ଧାର କାର୍ଯ୍ୟ ଯୋଗୁଁ ଉଛୁଳା ନଦୀରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି । ହେଲେ ଏଥିରେ ୮ ଜଣ ପ୍ରାଣ ହରାଇ ଥିବାବେଳେ ଏବେ ବି କିଛି ଲୋକ ନଦୀରେ ନିଖୋଜ ଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମୂର୍ତ୍ତି ବିସର୍ଜନ ବେଳେ ଜଲପାଇଗୁଡି ଅଘଟଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆତ୍ମୀୟଙ୍କୁ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।