ଭବାନୀପାଟଣା,ଏନ୍ଏନ୍ଏସ୍: ଏମ ରାମପୁର ବ୍ଲକ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ଏମ ରାମପୁର ବ୍ଲକ ଅଧ୍ୟକ୍ଷ ମନ୍ଦାକିନୀ ସିଂଦେଓ ଓ ବିଡିଓ ବିନୟ କୁମାର ଭୋଇଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ ମୋଟ ୧୮୫ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୧୬୨ଟି ବ୍ୟକ୍ତିଗତ ଓ ୨୩ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା । ୨୫ଟି ଅଭିଯୋଗର ସମାଧାନ ତତକ୍ଷଣାତ କରାଯାଇଥିଲା । ଏମ ରାମପୁର ବ୍ଲକର ଦୁଟା ଗ୍ରାମର କାନ୍ଥ ପଡ଼ି ମୁରଲିଧର ସାହୁଙ୍କ ମା’ଙ୍କର ମୃତ୍ୟୁ ହୋଇଥିବାବେଳେ ସହାୟତା ବାବଦକୁ ୧୦ହଜାର ଟଙ୍କା ଏବଂ ଗୌଡ କର୍ଲାଖୁଣ୍ଟା ଗ୍ରାମର ଗୋଲାପି ଭୋଇଙ୍କୁ ତାଙ୍କ ଝିଅର ଚିକିତ୍ସା ସହାୟତା ବାବଦକୁ ୧୦ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ଅନୁମୋଦନ କରାଯାଇଥିଲା ।