ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକଙ୍କୁ ମିଳୁନି ପାଉଣା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ସରକାର ଗ୍ରାମାଞ୍ଚଳରେ ବାସ କରୁଥିବା ଶ୍ରମିକଙ୍କୁ କାମ ଯୋଗାଇ ଦେବା ପାଇଁ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଟିଆଭଟା ପଞ୍ଚାୟତ ସାଲେପାଲି ଗାଁରେ ଶ୍ରମିକମାନେ କାମ କରି ପାଉଣା ପାଇନଥିବା ଅଭିଯୋଗ ହୋଇଛି । ଏନେଇ ମାଟିଆଭଟା ପଞ୍ଚାୟତ ସମ୍ମୁଖରେ ମଙ୍ଗଳବାର ଶ୍ରମିକମାନେ ତାଲା ପକାଇ ଧାରଣରେ ବସିଥିଲେ । ପିଇଓ ଏବଂ ଜିଆରଏସ ପଞ୍ଚାୟତରେ ବାରମ୍ବାର ଅନୁପସ୍ଥିତ ରହୁଥିବାରୁ ଶ୍ରମିକମାନେ କାମ ମାଗିବା ସମସ୍ୟା ହେବାସହ କାମ କରି ମଧ୍ୟ ପାଉଣା ପାଇବାରେ ଅସୁବିଧା ହେଉଥିବା ନେଇ ଅଭିଯୋଗ କରିଥିଲେ । ଗାଁର ୩୩ଜଣ ଶ୍ରମିକ ଟ୍ରେଗର ଟ୍ରେଞ୍ଚ ଖନନ କାମରେ ନିୟୋଜିତ ହୋଇଥିଲେ । ମାଷ୍ଟର ରୋଲରେ ହାଜିରା ପଡ଼ିଥିଲେ ମଧ୍ୟ ଶ୍ରମିକ ପାଉଣା ପାଇନାହାନ୍ତି । ଏଭଳି ସ୍ଥିତିରେ ଆନ୍ଦୋଳନକାରୀ ଶ୍ରମିକଙ୍କୁ ସ୍ଥାନୀୟ ସରପଞ୍ଚ ସନ୍ତୋଷିନୀ ବରିହା ବୁଝାଇବା ପରେ ଆନ୍ଦୋଳନ ବନ୍ଦ ହୋଇଥିଲା । ଏନେଇ ସରପଞ୍ଚ ସନ୍ତୋଷିନୀ ବରିହାଙ୍କୁ ପଚାରିବାରୁ ପିଇଓ ଏବଂ ଜିଆରଏସ ମୋତେ ନପଚାରି ଫାଇଲ ଖୋଲି କାମ କରୁଥିବା ପ୍ରକାଶ କରିଛନ୍ତି । ଏନେଇ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି ।