କଟକ,ଏନ୍ଏନ୍ଏସ୍: ଅବକାରୀ ବିଭାଗକୁ ବଡ ସଫଳତା । କଟକ ମଙ୍ଗୁଳି ଟୋଲ ଗେଟ ନିକଟରୁ ଏକ କାରରୁ ଏକ କୁଇଣ୍ଟାଲ ରୂପା ଇଟା ସମେତ ନଗଦ ପ୍ରାୟ ୧୨ ଲକ୍ଷ ଟଙ୍କା ଜବତ କରିଛି ଅବକାରୀ ବିଭାଗ । ତଦନ୍ତ ବେଳେ ଏହି ରୂପା ଇଟା ଆସିକାରୁ ଖଡଗପୁରକୁ ଚାଲାଣ ହେଉଥିଲା । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି ।
ସୂଚନା ଅନୁସାରେ କଟକ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଧରିବା ପାଇଁ ଜାଲ ବିଛାଇଥିଲା । ଏଥିନିମନ୍ତେ ଟାଙ୍ଗି ଟୋଲ ଗେଟ ନିକଟରେ ଅବକାରୀ ଟିମ ଛକି ରହି ଗାଡ଼ି ମୋଟର ଯାଂଚ କରୁଥିଲେ । ପଶ୍ଚିମବଙ୍ଗର ନମ୍ବର ଥିବା ଏକ କାରକୁ ଅଟକାଇଥିଲା ଅବକାରୀ ଟିମ । ଯାଂଚ ବେଳେ କାର ଚାଳକ ଆସ୍କାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା କହିଥିଲେ । ତେବେ ଗଞ୍ଜେଇ ସନ୍ଦେହରେ କାର ଅଟକାଇ ଗାଡି ଭିତରେ ଚେକିଂ କରିଥିଲା ଅବକାରୀ ଟିମ । କାର ଭିତରେ ତନତନ କରି ଯାଂଚ କରିବା ବେଳେ ପଛ ସିଟ ତଳେ ଏକ ସିକ୍ରେଟ ଚାମ୍ବରର ସନ୍ଧାନ ମିଳିଥିଲା । ସିକ୍ରେଟ ଚାମ୍ବର ଭିତରେ ଗଞ୍ଜେଇ ଥିବା ସନ୍ଦେହରେ ଖୋଲା ଯାଇଥିଲା ସିକ୍ରେଟ ଚାମ୍ବର । ମାତ୍ର ସେଥିରୁ ଗଞ୍ଜେଇ ବାହାରିନଥିଲା । ଯାହା ବାହାରିଲା ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା ।
ସବୁଠାରୁ ବଡ଼ କଥା ହେଉଛି କାରର ସିକ୍ରେଟ ଚାମ୍ବର ଭିତରେ ରୂପା ଇଟା ଗୁଡ଼ିକ ରଖାଯାଇଥିଲା । ସିକ୍ରେଟ ଚାମ୍ବର ଭିତରୁ ଗୋଟିଏ ପରେ ଗୋଟିଏ ଏପରି ୪୭ ଖଣ୍ଡ ରୂପା ଇଟା ବାହାରିଥିଲା । କେବଳ ସେତିକି ନୁହେଁ କାର ଭିତରୁ ବହୁ ମାତ୍ରାରେ ରୂପା ପାଉଁଜି, ରୂପାର ହାତ ଓ ଗୋଡ ମୁଦି, ଚୁଡି, ବ୍ରେସଲେଟ, ଚେନ ଆଦି ରୂପା ଅଳଙ୍କାର ମିଳିଥିଲା । ତେବେ ଏହି ଘଟଣାରେ ଗାଡିର ଡ୍ରାଇଭର ସମେତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିବା ସମୟରେ ସେମାନଙ୍କ ଠାରୁ ନଗଦ ପ୍ରାୟ ୧୨ ଲକ୍ଷ ଟଙ୍କା ମିଳିଥିଲା ।
ଏହା ଜାଣି ଅବକାରୀ ବିଭାଗର କର୍ମଚାରୀ ମାନେ ଉକ୍ତ ଗାଡି ସହ ଏଥିରେ ସାମିଲ ଥିବା ୨ ଜଣଙ୍କୁ ଅଫିସକୁ ଆଣି ଛାନଭିନ କରିଥିଲା । ସିକ୍ରେଟ ଚାମ୍ବର ଭିତରୁ ବାହାରି ଥିବା ୪୭ ଖଣ୍ଡ ରୂପା ଇଟାର ଓଜନ ଏକ କ୍ବିଣ୍ଟାଲରୁ ଅଧିକ ଥିବା ବେଳେ ୧୦ କେଜିରୁ ଅଧିକ ରୂପା ଅଳଙ୍କାର ଏବଂ ନଗଦ ୧୧ ଲକ୍ଷ ୯୦ ହଜାର ଟଙ୍କା ଜବତ କରିଥିଲା ଅବକାରୀ ବିଭାଗ ।