ଭବାନୀପାଟଣା,ଏନ୍ଏନ୍ଏସ୍: ଭବାନୀପାଟଣା ପୌରପରିଷଦ ଦ୍ୱାରା ‘ଭାରତୀୟ ସ୍ୱଚ୍ଛତା ଲିଗ୍’ ଅଭିଯାନର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜିଠୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଭବାନୀପାଟଣା ସହରକୁ ଏକ ସବୁଜ, ସୁନ୍ଦର, ସ୍ୱଚ୍ଛ, ଆବର୍ଜନାମୁକ୍ତ ଓ ପରିମଳଯୁକ୍ତ ସହର ରୂପେ ଗଢ଼ିବା ପାଇଁ ଭବାନୀପାଟଣା ପୌର ପରିଷଦ ତରଫରୁ ଏକ ବିଶାଳ ଜନ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରି ଗାନ୍ଧୀ ପାର୍କରେ ପହଞ୍ଚିଥିଲା । ଏଥିରେ ନଗରପାଳ ଶ୍ରୀମତୀ ସଂଯୁକ୍ତା ବେହେରା, ଉପନଗରପାଳ ବିଷ୍ଣୁ ପ୍ରଧାନ, କଳାହାଣ୍ଡି ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟ୍ ସଭାପତି ଭବାନୀ ଶଙ୍କର ନିଆଲ, ନିର୍ବାହୀ ଅଧିକାରୀ ଶ୍ରୀ ବଳୟ ଦେହୁରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ଓ ଯୁବ ସଂଯୋଜକ ପ୍ରସନ୍ନ କୁମାର ମେହେର ସାମିଲ ହୋଇ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ପୌରପରିଷଦର ପରିମଳ ଅଧିକାରୀ ତପନ ନାୟକ, ବଳରାମ କୁରେଶି ଓ ମଦନ ରାଉତ ସୁଚାରୁ ରୂପେ ପରିଚାଳନା କରିଥିଲେ ।