ନୂଆଦିଲ୍ଲୀ: ଉଜକେବିସ୍ତାନର ସମରକନ୍ଦରେ ଚାଲିଥିବା ଏସସିଏସ ସମ୍ମିଳନୀରେ ଆଜି ବିଶ୍ୱର ପ୍ରମୁଖ ନେତା ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏଥିରେ ପ୍ରତିରକ୍ଷା କ୍ଷେତ୍ରରେ ପରସ୍ପର ମଧ୍ୟରେ ସହଯୋଗ ବଢ଼ାଇବାକୁ ନେଇ ଚର୍ଚ୍ଚା ହୋଇଛି ।
ରାଷ୍ଟ୍ରପତି ବ୍ଲାଦମିର ପୁତିନ କହିଛନ୍ତି ଯେ, ୟୁକ୍ରେନ ସହ ଚାଲିଥିବା ଯୁଦ୍ଧକୁ ନେଇ ଭାରତ ଚିନ୍ତିତ ଅଛି ବୋଲି ମୁଁ ଜାଣିଛି । ଆମେ ଚାହୁଁଛୁ ଯୁଦ୍ଧ ଶୀଘ୍ର ସରୁ କିନ୍ତୁ ୟୁକ୍ରେନ ସହଯୋଗ କରୁନି ।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନ ଓ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କିଙ୍କଠାରେ ଆଭାର ବ୍ୟକ୍ତ କରିଛନ୍ତି । ମୋଦୀ କହିଛନ୍ତି ଯେ, ସଙ୍କଟ କାଳରେ ଯେତେବେଳେ ୟୁକ୍ରେନରେ ହଜାରେରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ର ଫସି ରହିଥିଲେ ସେତେବେଳେ ଉଭୟ ଦେଶର ସହଯୋଗ ବଳରେ ଆମ ଛାତ୍ରଛାତ୍ରୀ ସ୍ୱଦେଶ ଫେରିଥିଲେ । ଆଜିର ଯୁଗ ଯୁଦ୍ଧ ନୁହେଁ ବରଂ କୂଟନୀତିର ହେବା ଉଚିତ । ଭାରତ-ଋଷ ମଧ୍ୟରେ ସମ୍ପର୍କ କେତେ ସୁଦୃଢ଼ ତାହା ସମଗ୍ର ବିଶ୍ୱ ଜାଣିଛି । ଆଗାମୀ ଦିନରେ ୨ ରାଷ୍ଟ୍ରର ସମ୍ପର୍କ ଅଧିକ ଘନିଷ୍ଠ ହେବ ।