ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ସାରଦା ହୋଟେଲରେ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କୋଶଳ ମୁକ୍ତି ମୋର୍ଚ୍ଚାର ଆବାହକ ସୁୁଶୀଳ କୁମାର ଗୁରୁ ମୁକ୍ତି ମୋର୍ଚ୍ଚାର ୨ଜଣ ସକ୍ରିୟ ସଦସ୍ୟ ଅଚ୍ୟୁତ ସିପୁନ ଖମାରୀ ଓ ବନମାଳୀ ନାୟକଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ କରିଥିଲେ । ଏଥିରେ ସଂଗଠନକୁ ଭାଗ ଭାଗ କରିବା, ଆବାହକଙ୍କ ବିନା ସହମତିରେ ସଂଗଠନର ଲେଟର ପେଡର ଅପବ୍ୟବହାର ଓ ରସିଦ ବହି କୋଶଳ ମୁକ୍ତି ମୋର୍ଚ୍ଚା ନାମରେ ବୁଲି ବୁଲି ଚାନ୍ଦା ଆଦାୟ କରି ଆଜିପର୍ଯ୍ୟନ୍ତ କୌଣସି ହିସାବ ନ ଦେବା କଥା ଉଲ୍ଲେଖ କରିଥିଲେ । ସେଥିପାଇଁ ସର୍ବସାଧାରଣଙ୍କ ସମ୍ମତିକ୍ରମେ ମୁକ୍ତି ମୋର୍ଚ୍ଚାର ସକ୍ରିୟ ସଭ୍ୟ ଅଚ୍ୟୁତ ସିପୁନ ଖମାରୀ ଓ ବନମାଳୀ ନାୟକଙ୍କୁ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚାରୁ ବହିଷ୍କାର କରାଗଲା ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆବାହକ ଡିଙ୍ଗର କୁମ୍ଭାର ଓ ଅନ୍ୟତମ ଆବାହକ ସୁୁଶୀଳ କୁମାର ଗୁରୁ ଉପସ୍ଥିତ ଥିଲେ । ଅନ୍ୟପଟେ ବହିଷ୍କୃତ ସଭ୍ୟ ବନମାଳୀ ନାୟକ ଆଜି ଏହି ନିଷ୍ପତ୍ତିକୁ ବିରୋଧ କରି ସୁଶୀଳ ଗୁରୁ ଓ ଡିଙ୍ଗର କୁମ୍ଭାରଙ୍କ ତାଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ ଲଗାଇଥିବା ଏକ ଭିଡିଓ ମାଧ୍ୟମରେ କହିଛନ୍ତି । ସେ କହିଛନ୍ତି, ରସିଦ ବହି କଥା ମୁଁ ଜାଣିନାହିଁ ଏବଂ ଶ୍ରୀ ଗୁରୁ ଓ କୁମ୍ଭାର ମୋତେ ଡାକି ବିଜେଡିରେ ମିଶିଲେ ୩୨ ଲକ୍ଷ ଟଙ୍କା ଦେବୁ ବୋଲି କହିଥିଲେ । କିନ୍ତୁ ମୁଁ ରୋକଠୋକ ମନା କରିଦେଇଥିବାରୁ ସେମାନେ ମୋ ବିରୁଦ୍ଧରେ ଏହି ଚକ୍ରାନ୍ତ କରିିଛନ୍ତି ।