ବଲାଙ୍ଗିର,ଏନ୍ଏନ୍ଏସ୍: ବିଧାନସଭା ଷ୍ଟାଣ୍ଡିଂ କମିଟିର ବିଭାଗୀୟ ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଣ୍ଟାମାଲ ବିଧାୟକ ମହିଧର ରଣା ଓ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରିଙ୍କ ୩ ଜଣିଆ କମିଟି ବଲାଙ୍ଗିର ଗସ୍ତ କରି ଜିଲ୍ଲାରେ ହେଉଥିବା ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତିର ସମିକ୍ଷା କରିଛନ୍ତି। ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଶେଷତଃ କୃଷିବୀମାର କାର୍ଯ୍ୟକାରିତା, ଧାନ କ୍ରୟ ତଥା ମଣ୍ଡିର ସୁପରିଚାଳନା, କୃଷି ଋଣ, ଚାଷୀ ପଞ୍ଜୀକରଣ ଇତ୍ୟାଦି ସରକାରୀ ଯୋଜନା ଓ ଅଗ୍ରଗତିକୁ ନେଇ ସଦସ୍ୟମାନେ ସମୀକ୍ଷା କରିଥିଲେ।
ବୈଠକରେ ଧାନ କ୍ରୟ ପାଇଁ ମଣ୍ଡି ଗୁଡିକରେ ଅବଶ୍ୟକୀୟ ଭିତ୍ତିଭୂମୀ ପ୍ରସ୍ତୁତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏତଦ୍ବ୍ୟତୀତ ଜିଲ୍ଲାର ବୁଣାକାର ମାନଙ୍କ ଜୀବନ ଜିବିକାକୁ ଉନ୍ନତ କରିବା ପାଇଁ ସରକାରୀ ସହେଯାଗକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କମିଟି ନିର୍ଦ୍ଦେଶ ଦେଇଥିଲେ। ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା କମିଟିକୁ ସ୍ୱାଗତ କରିବା ସହ ବିଭାଗୀୟ କାଯ୍ୟବଳୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲା। ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଧର ଧରୁଆ, ଉପ ଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ପରେ କମିଟି ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ଗ୍ରାମକୁ କ୍ଷେତ୍ର ପରିଦର୍ଶନରେ ଯାଇ ସେଠାରେ ଥିବା ଚାଷୀ ଓ ବୁଣାକାରମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ।