ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ଧରା ପଡିଲା ଆନ୍ତଃ ଜିଲ୍ଲା ବାଇକ ଚୋରୀ ରାକେଟ। ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ପୁଲିସ ଦ୍ବାରା ମୋଟ ୧୨ଟି ଚୋରି ବାଇକ ଉଦ୍ଧାର ହୋଇଛି। ତା’ସହ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ସେଥିମଧ୍ୟରୁ ୨ ନାବାଳକ ଥିବା ସୁଚନା। ସୂଚନା ଅନୁସାରେ ଏହି ଚୋର ଦଳ ରାଜ୍ୟର ବିଭିନ୍ନ ସହରରୁ ବାଇକ ଚୋରି କରି ନମ୍ବର ପ୍ଲେଟ ବଦଳାଇ କମ ଦରରେ ବିକ୍ରି କରିଥିଲେ।
ହିଙ୍ଗମା ଗାଁର ଉମେଶ ମାଝୀଙ୍କ ଗାଡି ଚୋରି ଅଭିଯୋଗରେ ବିରମହାରାଜପୁର ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଏହି ରାକେଟକୁ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ବୌଦ୍ଧ ଜିଲ୍ଲାର ହୋଇଥିବା ପୁଲିସ ସୁଚନା ଦେଇଛି। ୨ ଜଣ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା କଣ୍ଟାମଳ ଥାନା ଅଞ୍ଚଳର ଧରଣି ରାଜହଂସ ଓ ଗୋପାଲ ମହାନନ୍ଦକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ନାବାଳକ ଦ୍ବୟଙ୍କୁ ଅଟକ ରଖିଥିବା ଜଣାପଡିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା।