ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ପୁଲିସ ନକଲି ସୁନା ଇଟା ବିକ୍ରି ଉଦ୍ୟମ କରି ୧୦ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ମିଥୁନ ସାହୁ, ନବରଙ୍ଗପୁର ସହର ଇଚ୍ଛାବତୀ ଗୁଡ଼ାର ବଂଶୀଧର ପରିଡ଼ା, ପାପଡ଼ାହାଣ୍ଡି ବ୍ଲକ ଖଲିଗୁଡ଼ା ଗ୍ରାମର ଟୁନୁ ଟାକ୍ରି ଓ ଜତୀନ୍ଦ୍ର ଖରା । ଏନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ନକଲି ସୁନା ଇଟା ବାହାରୁଥିବା ଅପପ୍ରଚାର କରି କିଛି ଦୁବୁର୍ତ୍ତ ନିରୀହ ଲୋକଙ୍କୁ ଠକି ଟଙ୍କା ଆଦାୟ କରିବାର ଏକ ସହଜ ଉପାୟ ଆପଣେଇଛନ୍ତି । ଏହିକ୍ରମରେ ଗତ ଅଗଷ୍ଟ ୩୦ରେ ନବରଙ୍ଗପୁର ସହରର ସ୍କିଲ ଇଣ୍ଡିଆରେ କାର୍ଯ୍ୟରତ ମିଥୁନ ନାମକ ବ୍ରହ୍ମପୁରର ଜଣେ ଯୁବକ ଏକ ସୁନା ଇଟା ଯାହାର ମୂଲ୍ୟ ୧କୋଟିରୁ ଊର୍ଦ୍ଧ୍ୱ ହେବ କିନ୍ତୁ ତାହା ୧୦ଲକ୍ଷ ଟଙ୍କାରେ ମିଳୁଥିବାରୁ ତାହାକୁ କିଣିବା ପାଇଁ ବ୍ରହ୍ମପୁରରେ ଥିବା ତା’ସାଙ୍ଗ ସାଗର ଗୌଡ଼ଙ୍କୁ ୧୦ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ ମାଗିଥିଲେ । ସୁନା ଇଟା ବିକ୍ରି ହେବା ପରେ ତାକୁ ଦ୍ୱିଗୁଣ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ପ୍ରଲୋଭିତ ହୋଇ ସାଗର ବ୍ରହ୍ମପୁରରୁ ୧୦ ଲକ୍ଷ ଟଙ୍କା ନେଇ ଆସିଥିଲେ । ତେବେ ଯୋଜନା ମୁତାବକ ନବରଙ୍ଗପୁର ସହର ଡିଏଫଓ ଅଫିସ ପଛପଟେ ଥିବା ଏକ ନିରୋଳା ସ୍ଥାନରେ ସୁନା ଇଟା ପ୍ରସ୍ତୁତ କରୁଥିବା କିଛି ଯୁବକଙ୍କ ସହିତ ମିଥୁନ ଓ ସାଗରଙ୍କ ଭେଟ ହୋଇଥିଲା । ସୁନା ଇଟା ଦେଖିବା ପରେ ଉଭୟଙ୍କ ମନରେ ତାହାର ଗୁଣବତ୍ତାକୁ ନେଇ ଦ୍ୱନ୍ଦ ଉପୁଜିବାରୁ ସେମାନେ ମାନ ଯାଞ୍ଚ କରିବା ପାଇଁ ଦାବି କରିଥିଲେ । ଆଉ ପରେ ଟଙ୍କା ଦେବେ ବୋଲି କହିବାରୁ ମିଥୁନ ଓ ସାଗରଙ୍କୁ ସମ୍ପୃକ୍ତ ଯୁବକମାନେ ଧମକ ଦେବା ସହ ମାରଣାସ୍ତ୍ର ଦେଖାଇ ୧୦ଲକ୍ଷ ଟଙ୍କା ଛଡ଼ାଇ ନେଇଥିଲେ । ପରେ ସାଗର ବ୍ରହ୍ମପୁର ଯାଇ ଘଟଣାରେ ଜଡ଼ିତ ଅଭିଯୁକ୍ତଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରି ଗତକାଲି ନବରଙ୍ଗପୁର ଥାନାରେ ମାମଲା ଦାୟର କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ୪ଜଣ ଯୁବକଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୩ଜଣ ଫେରାର ଥିବା ପୁଲିସ ସୂଚନା ଦେଇଛି । ଏଥିସହ ଗିରଫ ଯୁବକଙ୍କଠାରୁ ୪ଲକ୍ଷ ୬୦ ହଜାର ଟଙ୍କା ଜବତ ହେବାସହ ୩ଟି ମୋବାଇଲ, ନକଲି ସୁନା ଇଟା ଓ ଛୁରୀ ଜବତ ହୋଇଛି । ଫେରାର ଥିବା ଯୁବକଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।