କୁକୁଡା ଫାର୍ମରୁ ସାଢ଼େ ୩ ଲକ୍ଷ ଟଙ୍କା ଲୁଟ

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବୁଦେଲ ବାହାଲି ଗାଁ ନିକଟରେ ଥିବା ଏକ କୁକୁଡ଼ା ଫାର୍ମରୁ ଗତକାଲି ରାତିରେ ଡକାୟତି ହୋଇଥିବା ଜଣାପଡ଼ିଛି । ଦୁର୍ବୁତ୍ତମାନେ ନଗଦ ୩ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଥିବା ତରଭା ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ରାତି ପ୍ରାୟ ୧୧ଟା ୩୦ରେ ବୁଦେଲବାହାଲି ଗାଁ ନିକଟରେ ଥିବା କୁକୁଡ଼ା ଫାର୍ମକୁ ହଠାତ ୧୦ରୁ ୧୨ଜଣ ଦୁର୍ବୁତ୍ତ ପଶି ଆସି ଫାର୍ମର ମ୍ୟାନେଜର ବାଳଗୋପାଳ ମିଶ୍ରଙ୍କୁ ଗୋଟିଏ ଲୁହା ଛଡ଼ରେ ମାଡ଼ ମାରିବା ସହ ପ୍ରାୟ ୩ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ଏହାସହ ଫାର୍ମରେ ଥିବା ଅଲଟୋ କାରର ସାମ୍ନା କାଚକୁ ଭାଙ୍ଗିବା ସହ ଅଫିସରେ ଲାଗିଥିବା ଏସି ଓ ଆସବାବ ପତ୍ର ସବୁକୁ ଭାଙ୍ଗି ଦେଇଥିଲେ । ଏନେଇ ଫାର୍ମ ମ୍ୟାନେଜର ତରଭା ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାତିରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା । ଅନ୍ୟପଟେ ଜଣେ ଅଭିଯୁକ୍ତକୁ ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।