କୋର୍ଟକୁ ସାକ୍ଷୀ ଦେବାକୁ ଆସି ନିଖୋଜ ବ୍ୟକ୍ତିର ମୃତଦେହ ଉଦ୍ଧାର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ କୋର୍ଟକୁ ସାକ୍ଷୀ ଦେବାକୁ ଆସି ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଆଜି ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ଥାନା ଅନ୍ତର୍ଗତ ବଳିତା ଗ୍ରାମର ଝସକେତନ ବେହେରା ଗତ ଅଗଷ୍ଟ ୨୬ ତାରିଖ ଦିନ ନିଜ ଘରୁ ଦେବଗଡ଼କୁ କୋର୍ଟରେ କୌଣସି ଏକ ମାମଲାରେ ସାକ୍ଷୀ ଦେବାକୁ ଆସି ନିଖୋଜ ରହିଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି ପରେ ମଧ୍ୟ ଝସକେତନଙ୍କ କୌଣସି ସନ୍ଧାନ ମିଳିପାରିନଥିଲା।

ଆଜି ଦେବଗଡ଼ ଥାନା ଅନ୍ତର୍ଗତ ବଣିଆକିଲିଣ୍ଡା ଗ୍ରାମର ଏକ ଧାନ ବିଲ ମଧ୍ୟରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଠାବ ଘଟଣା ପ୍ରଚାରିତ ହେବାପରେ ପରିବାର ଲୋକେ ସୂଚନାପାଇ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଚି଼ହ୍ନଟ କରିବା ସହ ଦେବଗଡ଼ ଥାନା ପୁଲିସକୁ ସୂଚନା ଦେଇଥିଲେ। ସୂଚନାପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ ଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିବା ଜଣାପଡିଛି।