ଚାଷୀଙ୍କ ଖାତାକୁ ଗଲା କାଳିଆ ସହାୟତା, ଖୁବଶୀଘ୍ର ମିଳିବ ବନ୍ୟା କ୍ଷୟକ୍ଷତି ଟଙ୍କା

ଭୁବନେଶ୍ବର,ଏନ୍ଏନ୍ଏସ୍: ନୂଆଖାଇରେ ଚାଷୀଙ୍କୁ ଉପହାର । ଛୋଟ ଓ ଭୂମିହୀନ ଚାଷୀଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା । ଏହା ସହ ଖୁବଶୀଘ୍ର ବନ୍ୟା କ୍ଷୟକ୍ଷତି ରାଶି ପ୍ରଦାନ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ନୂଆଖାଇ ମାଟି ମା’ର ପର୍ବ ଅଟେ । ଆମର ଚାଷୀ ଭାଇ ମାନଙ୍କ ପରିଶ୍ରମ ଯୋଗୁ ଆମେ ସମସ୍ତେ ମାଟି ମା’ର ଆଶୀର୍ବାଦ ପାଉ । ତେଣୁ ଚାଷୀ ଆମର ଗର୍ବ ଓ ଗୌରବ । ଏହି ପବିତ୍ର ଦିନରେ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଁ ବହୁତ ଖୁସି ।”

ଗୁରୁବାର ରାଜ୍ୟର ୪୧ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀଙ୍କୁ ୮୬୯ କୋଟି ଟଙ୍କାର ସହାୟତା ଦିଆଯାଇଛି । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ଯାଇଛି । କାଳିଆ ଯୋଜନା ଦେଶର ସବୁଠାରୁ ଭଲ ଯୋଜନା । ଛୋଟ ଚାଷୀମାନଙ୍କ ପାଇଁ ଏହା ଆଶା ଓ ଭରସା ସୃଷ୍ଟି କରିପାରିଛି । ଭୂମିହୀନ ଚାଷୀଙ୍କ ଜୀବିକାର ସୁରକ୍ଷା ପାଇଁ ମଧ୍ୟ ଏହା ବହୁତ ସାହାଯ୍ୟ କରୁଛି । ଗତ ମେ ମାସରେ ଅକ୍ଷୟ ତୃତୀୟା ଅବସରରେ ମଧ୍ୟ ଚାଷୀ ମାନଙ୍କୁ ୮୦୦ କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସହାୟତା ଚାଷ କାମକୁ ଆଗେଇ ନେବାରେ ବହୁତ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।

କାଳିଆ ଯୋଜନାରେ ଟଙ୍କା ଦେବାପରେ ବନ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଚଳିତ ବନ୍ୟା ଯୋଗୁଁ ସମସ୍ତ ଚାଷୀ ଚିନ୍ତାରେ ଅଛନ୍ତି । ରାଜ୍ୟ ସରକାର ସବୁବେଳେ ରାଜ୍ୟବାସୀଙ୍କ ସାଥିରେ ଅଛନ୍ତି । ଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଖୁବଶୀଘ୍ର ଫସଲ କ୍ଷତି ପାଇଁ ସହାୟତା ଯୋଗାଇ ଦିଆଯିବ । ଓଡିଶାର ଗୌରବକୁ ଚାଷୀଭାଇମାନେ ଉଜ୍ଜଳ କରିଛନ୍ତି । ଖାଦ୍ୟ ସୁରକ୍ଷାରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ତେଣୁ ରାଜ୍ୟର ସବୁ ଲୋକ ଚାଷୀଭାଇଙ୍କ ନିକଟରେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।”