ଝାଡ଼ଖଣ୍ଡ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମହାମେଣ୍ଟ ବିଧାୟକଙ୍କ ସହ ରାଞ୍ଚିରୁ ରାୟପୁର ଅଭିମୁଖେ ବାହାରିଛନ୍ତି । ସିଏମ ନିବାସରୁ ହେମନ୍ତ ସୋରେନ ବିଧାୟକଙ୍କୁ ୨ଟି ବସରେ ଏୟାରପୋର୍ଟ ନେଇଛନ୍ତି । ଯେଉଁ ମେଫେୟର ରିସୋର୍ଟକୁ ଝାଡ଼ଖଣ୍ଡ ବିଧାୟକଙ୍କୁ ନିଆଯାଇଛି ସେଠାରେ ପୁଲିସକୁ ଜଗିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିସୋର୍ଟର ସମସ୍ତ ୪୭ଟି ରୁମକୁ ବୁକ୍ କରାଯାଇଛି । ସଂଧ୍ୟା ୭ଟା ସୁଦ୍ଧା ସମସ୍ତ ବିଧାୟକ ରାୟପୁର ପହଞ୍ଚିଯିବେ ।
ଝାଡ଼ଖଣ୍ଡରେ ରାଜନୈତିକ ସଙ୍କଟ ମଧ୍ୟରେ ଅଗଷ୍ଟ ୨୭ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅନ୍ୟ ବିଧାୟକଙ୍କୁ ନେଇ ରାଞ୍ଚୀସ୍ଥିତ ନିଜ ଆବାସରେ ପହଞ୍ଚିଥିଲେ । ନିର୍ବାଚନ ଆୟୋଗ ଦ୍ୱାରା ସୋରେନଙ୍କୁ ଅଯୋଗ୍ୟ ଦର୍ଶାଇବାକୁ ସୁପାରିସ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଏହାପରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । କିନ୍ତୁ ଝାଡ଼ଖଣ୍ଡ ରାଜ୍ୟପାଳଙ୍କ ଦ୍ୱାରା ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଆୟୋଗର ନିଷ୍ପତ୍ତି ସମ୍ପର୍କରେ କୁହାଯାଇ ନାହିଁ ।