ପାଟଣାଗଡ,ଏନ୍ଏନ୍ଏସ୍: ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗରୁ ବିପୁଳ ପରିମାଣର ତମ୍ବା ଏବଂ ଆଲୁମିନିୟମ କେବୁଲ ଚୋରି ଅଭିଯୋଗରେ ପାଟଣାଗଡ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବହୁ ପରିମାଣର କଟା ତାର ଏବଂ ଚୋରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି। ଆଜି ସ୍ଥାନୀୟ ଥାନା ପରିସର ମଧ୍ୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ଦେଇଛନ୍ତି ଉପଖଣ୍ଡୀୟ ପୁଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା।
ପ୍ରକାଶ ଯେ, ଗତ ୨୯ ତାରିଖ ରାତିରେ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସର ମଧ୍ୟରୁ ପ୍ରାୟ ୨୦୦ରୁ ୩୦୦ ମିଟର କେବୁଲ ଚୋରି ହୋଇଥିବା ନେଇ ୩୦ ତାରିଖ ଦିନ କନିଷ୍ଠ ଯନ୍ତ୍ରୀ ଡୁବୁଲିଆ ସିଂହ ପୂର୍ତ୍ତୀ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାବ୍ୟତୀତ ଜୁଲାଇ ୧୮ ତାରିଖ ରାତିରେ ମଧ୍ୟ ୨୦୦ରୁ ୨୫୦ ମିଟର ତାର ଚୋରୀ ହୋଇଥିବା କନିଷ୍ଠ ଯନ୍ତ୍ରୀ ଅଭିଯୋଗ କରିଥିଲେ। କେବଳ ପାଟଣାଗଡ ନୁହେଁ ବରଂ ଉପଖଣ୍ଡର ଅନ୍ୟ ଥାନା ମାନଙ୍କରେ ମଧ୍ୟ ତାର ଚୋରି ସଂକ୍ରାନ୍ତୀୟ ଅଭିଯୋଗମାନ ହେଉଥିବାରୁ ଏହି ମାମଲାକୁ ଗୁରୁତର ସହ ନେଇ ପାଟଣାଗଡ ଥାନାଧିକାରୀ ଅନନ୍ତ କୁମାର ପ୍ରଧାନ ଏବଂ ତାଙ୍କ ସହଯୋଗୀମାନେ ତଦନ୍ତ ଆରମ୍ଭ କରି ଲରମ୍ଭା ଥାନା ଅନ୍ତର୍ଗତ ଖୁଁଟସମଲାଇ ଗ୍ରାମର ମନୋରଞ୍ଜନ ଓରଫ ମନୋଜ ତଅଁଲା(୧୯) ଓ ପିଣ୍ଟୁ ତଅଁଲା(୨୦) ଏବଂ ପାଟଣାଗଡ ଥାନା ଅନ୍ତର୍ଗତ ଦଲଦଲି ଗ୍ରାମର ପୀତବାସ ଛତ୍ରିଆ(୨୫)ଙ୍କୁ ଗରିଫ କରିଥିଲେ।
ପଚରାଉଚୁରା ବେଳେ ଅଭିଯୁକ୍ତ ମାନେ ସେମାନଙ୍କ ଦୋଷ ସ୍ୱିକାର କରିଥିବା ପୁଲିସ କହିଥିବା ସହ ସେମାନଙ୍କ ନିକଟରୁ ୧୯ କେଜି ୧୬୦ ଗ୍ରାମ ତମ୍ବା ତାର, ଗୋଟିଏ ପଲସର ବାଇକ୍ (ଓଡି-୧୫ସି-୦୭୭୧), ଗୋଟିଏ ହିରୋ ଏଚ୍ଏଫ୍ ଡିଲକ୍ସ ବାଇକ୍ (ଓଡି-୧୭-ଏମ୍-୫୪୩୭), ତାର କଟର ସହିତ ବିଭିନ୍ନ ସରଞ୍ଜାମ ଜବତ କରିଥିବା ଜଣାଯାଇଛି। ଉକ୍ତ ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।