ଗଣପର୍ବ ନୂଆଖାଇ ପାଇଁ ୩ ଦିନ ଛୁଟି ଦାବି କଲେ ବଲାଙ୍ଗିର ସାଂସଦ

ପାଟଣାଗଡ,ଏନ୍ଏନ୍ଏସ୍: ପଶ୍ଚିମ ଓଡିଶାର ଗଣପର୍ବ ନୁଆଖାଇ ଏକ ବଡ ପର୍ବ, ଭାଇଚାରାର ପର୍ବ। ଏଅଞ୍ଚଳର ଯିଏ ଯେଉଁଠି ଥାନ୍ତି ସେହି ଦିନ ନିଜ ଘରକୁ ଫେରି ଏକାଠି ବସି ନୂଆ ଖାଇଥାନ୍ତି। ହଜାର ହଜାର ବର୍ଷରୁ ଏହି ପରମ୍ପରା ଆଜି ପର୍ଯ୍ୟନ୍ତ ଚାଲିଆସୁଛି। ଏ ଅଞ୍ଚଳର ଚାଷୀ ନିଜ ଜମିର ଉତ୍ପାଦିତ ଶସ୍ୟକୁ ନିଜ ଇଷ୍ଟଦେବୀଙ୍କ ଠାରେ ପ୍ରଥମେ ପୂଜାର୍ଚ୍ଚନା କରିବା ପରେ ଘରର ସମସ୍ତ ସଦସ୍ୟ ଏକାଠି ବସି ନୂଆ ଖାଇଥାନ୍ତି। ଏହି ନୂଆଖାଇକୁ ସରକାର ଛୁଟି ଘୋଷଣା କରିଥିଲେ କିନ୍ତୁ ଚଳିତ ବର୍ଷ ପଶ୍ଚିମାଞ୍ଚଳର ବିିଭିନ୍ନ ସଂଗଠନ ଦାବି କରିଛନ୍ତି ଯେ ଏହି ଦିନକୁ ୩ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ।

ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଲୋକସଭା ସଦସ୍ୟା ଶ୍ରୀମତି ସଙ୍ଗିତା କୁମାରୀ ସିଂଦେଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୩ ଦିନ ଛୁଟି ଘୋଷଣା କରିବାକୁ ଏକ ପତ୍ର ଲେଖି ଦାବି କରିଛନ୍ତି। କାରଣ ପୂର୍ବ ଓଡିଶାର ରଜ ପର୍ବକୁ ଯେଉଁଭଳି ୩ ଦିନ ସରକାର ଛୁଟି ଘୋଷଣା କରିଛନ୍ତି ସେହିଭଳି ପଶ୍ଚିମ ଓଡିଶାର ନୂଆଖାଇ ପର୍ବରୁ ମଧ୍ୟ ୩ ଦିନ ସରକାରୀ ଛୁଟି ଘୋଷଣା କରିବା ପାଇଁ ଦାବି କରିଛନ୍ତି ସାଂସଦ।