ନୂଆଖାଇରେ ୩ ଦିନ ଛୁଟି ପାଇଁ କୋଶଳ ପକ୍ଷରୁ ଦାବିପତ୍ର ପ୍ରଦାନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇରେ ୩ଦିନ ଛୁଟି ପାଇଁ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁଙ୍କୁ ପ୍ରଦାନ କରାଯାଇଛି । ବଲାଙ୍ଗିର ଜିଲ୍ଲାର ଅନେକ ଲୋକ ରାଜ୍ୟ ବାହାରେ ଚାକିରି କରୁଥିବାରୁ ସେମାନେ ଆସିବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ରାଜ୍ୟ ସରକାର ପୂର୍ବ ଓଡ଼ିଶାର ରଜ ଭଳି ସମଗ୍ର ପଶ୍ଚିମ ଓଡ଼ିଶାରେ ମଧ୍ୟ ୩ ଦିନ ଛୁଟି ଘୋଷଣା ପାଇଁ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ଦାବି କରିଛି । କୋଶଳ ରାଏଜର ଆବାହକ ସୁଶୀଲ କୁମାର ଗୁରୁଙ୍କ ନେତୃତ୍ୱରେ ସ୍ଥାନୀୟ କଚେରୀ ଛକରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାର ସବୁବେଳେ ପଶ୍ଚିମ ଓଡ଼ିଶା ପ୍ରତି ଅଣଦେଖା କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଆଗାମୀ ଦିନରେ ସରକାର ଏ ଦିଗରେ ପଦକ୍ଷେପ ନନେଲେ ଜନ ଆନ୍ଦୋଳନ ହେବ ବୋଲି ସଂଗଠନ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ଏହି ଶୋଭାଯାତ୍ରାରେ ଯୁବରାଜ ବଗାର, ବିପିନ ବରିହା, ରୁଷବ ବାଗ ଓ ନନ୍ଦଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।