ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ କୁଇକେଡା ପଞ୍ଚାୟତ ସ୍ଥିତ ସ୍ଥାନୀୟ କମରଲଗା ଲାଂଥ ନଦୀ କୂଳରେ ଗତକାଲି ସକାଳୁ ସ୍ଥାନୀୟ ଲୋକ ଗାଧେଇବା ପାଇଁ ଯାଇଥିବା ବେଳେ ଏକ ଶବ ଭାସୁଥିବା ନେଇ ଦେଖିବାକୁ ପାଇଥିଲେ। ନଦୀ କୂଳରେ ପ୍ରବଳ ଶକ୍ତ ଧାର ବୋହି ଥିବା ଦେଖିବାକୁ ପାଇବା ପରେ ହତ୍ୟା ହୋଇଥିବା ସନ୍ଦେହ କରିଥିଲେ। ପରେ ପୁଲିସକୁ ଖବର ଦେବା ପରେ ସଇଁନ୍ତଲା ଥାନା ଅଧିକାରୀ ଅବନୀ ସାହୁ, ବଡ଼ମାଲ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ, ଏସ୍ଆଇ ସଂଗୀତା ବେଙ୍କ, ଅଗ୍ନି ବାହିନୀ ବିଭାଗ, ବଲାଙ୍ଗିର ସାଇଣ୍ଟିଫିକ୍ ଟିମ, ଟିଟିଲାଗଡ଼ ଏସ୍ଡ଼ିପିଓ ସୁରେନ୍ଦ୍ର ନାଥ ଶତପଥି, ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା, ମୁରିବାହାଲ ଥାନା ଅଧିକାରୀ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଯୁବତୀଙ୍କ ମୁଣ୍ଡ ବିହୀନ ଶବକୁ ଉଦ୍ଧାର କରି ତଦନ୍ତ ଜାରି ରଖିଥିଲେ।
ଯୁବତୀଙ୍କ ମୁଣ୍ଡ ମିଳିନ ଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା ଓଡ୍ରାଫ ଟିମର ହାବିଲଦାର ରମେଶ ମିଶ୍ର, ପ୍ରସନ୍ନ ଖମାରି ଓ ସ୍ଥାନୀୟ ପୁଲିସ ମୁଣ୍ଡକୁ ଖୋଜାଖୋଜି କରିଥିଲେ ହେଲେ ପାଇ ନଥିଲେ। ଯାହା ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।
ସୂଚନା ଅନୁସାରେ ଯୁବତୀଙ୍କ ବୟସ ପ୍ରାୟ ୨୦-୨୫ ବର୍ଷ ଭିତରେ ହେବ। ଦୁଇଟି ଗୋଡ଼ରେ କଳା ରଙ୍ଗର ରସି ମଧ୍ୟ ଲାଗିଛି। କଳା ରଙ୍ଗର ପେଣ୍ଟ ଓ ସାର୍ଟ ଯୁବତୀ ପିନ୍ଧିଥିବା ବେଳେ ଗତ ମଙ୍ଗଳବାର ରାତିରେ ଗଳା କାଟି ହତ୍ୟା କରାଯାଇଛି। ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବତୀଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ। କିଏ ଓ କେଉଁ କାରଣରୁ ଏଭଳି ନିର୍ମମ ଭାବେ ଗଳା କାଟି ହତ୍ୟା କଲା ତାହାକୁ ନେଇ ଘଟଣା ସମ୍ପର୍କରେ ପୁଲିସ ଛାନଭିନ ଜାରି ରଖିଛି। ହତ୍ୟାକାରୀ ମାନେ ଖୁବ୍ଶୀଘ୍ର ଧରାପଡିବେ ବୋଲି ଲୋକେ ଆଶା ବାନ୍ଧିଛନ୍ତି।