ବଲାଙ୍ଗିର ଆରଟିଓ ପକ୍ଷରୁ ରକ୍ଷକ ସଚେତନତା ଶିବିର

ଦେଓଗାଁ,ଏନ୍‌ଏନ୍‌ଏସ୍‌: ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ବୁଧୁବାର ଦିନ ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ରକ୍ଷକର ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଭାସ କୁମାର ବାଘାଲା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ସବ୍ ଡିଭିଜନର ଉପଜିଲ୍ଲାପାଳ କୁମାର ନାରାୟଣ ଭୂଷଣ, ସମ୍ମାନିତ ଅତିଥି ଭାବରେ ଦେଓଗାଁ ତହସିଲଦାର ଯୁଗଲ କିଶୋର ବିଶ୍ୱାଲ, ଦେଓଗାଁ ଥାନା ଏଏସଆଇ ଜଗତ୍ ଜିବନ ସା, ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀ ପ୍ରମୁଖ ଯୋଗଦେଇଥିଲେ।

ଜୀବନ ଏକ ଅମୂଲ୍ୟ ରତ୍ନ ଏବଂ ତାର ସୁରକ୍ଷା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ଅଟେ। ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିକୁ ରକ୍ଷକ ସେବା ମନୋବୃତ୍ତି ନେଇ ଡାକ୍ତରଙ୍କ ପାଖରେ ବା ଡାକ୍ତରଖାନାରେ ପହଞ୍ଚାଇ ଆଘାତପ୍ରାପ୍ତ ବ୍ୟକ୍ତି ଜୀବନ ବଞ୍ଚାଇଥାଏ। ତେଣୁ ଯଥାର୍ଥରେ ପ୍ରତ୍ୟେକ ରକ୍ଷକ ଜଣେ ଜଣେ ଜୀବନଦାତା ଅଟନ୍ତି ବୋଲି ଉପସ୍ଥିତ ଅତିଥି ଗଣ ମତପ୍ରକାଶ କରିଥିଲେ। ଉଠା ଦୋକାନୀ, ଚା’ ଦୋକାନୀ ତଥା ସ୍ୱେଚ୍ଛାସେବୀ ମାନଙ୍କୁ ରକ୍ଷକ ତାଲିମଦାତା ତାଲିମ ପ୍ରଦାନ କରିଥିଲେ।

ତାଲିମଦାତା ଭାବରେ ରେଡ଼କ୍ରସ କାଉନସିଲର ପ୍ରଭାକର ଛନ୍ଦ, ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ବିରଞ୍ଚି ନାରାୟଣ ଦାସ, ମଦନ ମୋହନ ପ୍ରଧାନ, ଡ. ଦୈତାରୀ ପୁଝାରୀ, ରଶ୍ମିରାଣୀ ଦାଶ, ଦୁର୍ଯ୍ୟୋଧନ ପଶାୟତ, ରାମନାରାୟଣ ଦାଶ କାର୍ଯ୍ୟ ତୁଲାଇଥିଲେ। କାର୍ଯ୍ୟକ୍ରମରେ ପରିବହନ କାର୍ଯ୍ୟାଳୟର ସେକ୍ସନ ଅଫିସର କୁତାର୍ଥ ସେଲମା, ଜିଆରଏସ୍ ଶ୍ରୀକାନ୍ତ ନାଏକ, ଉମେଶ ବାଗ, ଜିତେନ୍ଦ୍ର ମନହିରା, ସୁମନ୍ତ ମଲ୍ଲିକ, ହଳଧର ନାଏକ ପ୍ରମୁଖ ସହଯୋଗ କରିଥିଲେ। ରକ୍ଷକ ତାଲିମଦାତା ଅରବିନ୍ଦ କୁମ୍ଭାର ସଂଯୋଜନା କରିଥିବା ବେଳେ ଚଞ୍ଚଳ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।