ଫୁଲବାଣୀ ସହରରେ ପୋଖରୀ ସଫେଇ ଅଭିଯାନ ଆରମ୍ଭ, ପୌରାଧ୍ୟକ୍ଷାଙ୍କ ତତ୍ବାବଧାନରେ ହେଉଛି କାମ

ଫୁଲବାଣୀ,ଏନ୍ଏନ୍ଏସ୍: ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ନିର୍ଦ୍ଦେଶରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫୁଲବାଣୀ ସହର ବଜାରର ନିକଟରେ ଥିବା ପୋଖରୀ ଗୁଡିକର ଅଳିଆ ଆବର୍ଜନା ଓ ଦଳ ଆଦି ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ପୌରାଧ୍ୟକ୍ଷା ନିଜେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଥିବା ଦେଖିବାକୁ ମିଳିଛି। ଦୀର୍ଘବର୍ଷ ହେଲା ପୋଖରୀ ଗୁଡିକ ସଫେଇ ନହୋଇ ଅଳିଆ ଆବର୍ଜନା ସାଙ୍ଗକୁ ଦଳ ଭର୍ତ୍ତି ହୋଇ ଅପରିଷ୍କାର ହୋଇ ପଡିଥିଲା। ଲୋକେ ପ୍ରାୟତଃ ବ୍ୟବହାର କରୁନଥିଲେ।

ବର୍ତ୍ତମାନ ପୌରାଧ୍ୟକ୍ଷା ନିଷ୍ଠାପର ଉଦ୍ୟମ, ଆଗ୍ରହ ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଏହି ସବୁ ପୋଖରୀ ଗୁଡିକର ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଯେପରି ଆଗ ଭଳି ବ୍ୟବହାର ଯୋଗ୍ୟ ହୋଇପାରିବ ଓ ଖରା ଦିନେ ଜଳକଷ୍ଟ ଦୂର ହୋଇପାରିବ ସେଥିପ୍ରତି ପୌରପରିଷଦ ବିଶେଷ ଦୃଷ୍ଟି ଦେଉଥିବା ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି କହିଛନ୍ତି। ଏଥିରେ ସହରବାସୀଙ୍କ ସହୋଯୋଗ କାମନା କରିଛନ୍ତି ସ୍ମିତା।

ସହରବାସୀଙ୍କ ସହଯୋଗ ରହିଲେ ଫୁଲବାଣୀ ସହର ସରସ ସୁନ୍ଦର ଓ ଆକର୍ଷଣୀୟ ସହର ଭାବେ ପରିଗଣିତ ହୋଇପାରିବ ବୋଲି ସ୍ମିତା କହିଛନ୍ତି। ନଗର ବିଜେପି ସଭାପତି ସୁଶାନ୍ତ ମହାନ୍ତି ମଧ୍ୟ ସହରକୁ କ୍ଲିନ ଓ ଗ୍ରୀନ୍‌ ସିଟିରେ ପରିଣତ କରିବାଲାଗି ଉଦ୍ୟମ କରାଯାଉଥିବା କହିଛନ୍ତି। ଦାୟିତ୍ୱ ଗ୍ରହଣ କରିବାର କିଛିଦିନ ମଧ୍ୟରେ ସହରର ରାସ୍ତା, ଡ୍ରେନ୍‌, ଆଲୋକ ବ୍ୟବସ୍ଥା, ସଫେଇରେ ବ୍ୟାପକ ସୁଧାର ଆସିଥିବା ବିଜେପି ନଗର ସଭାପତି ସୁଶାନ୍ତ କହିଛନ୍ତି। ୧ ନମ୍ବର କାଉନସିଲର ମୃତ୍ୟୁଞ୍ଜୟ ପେରା, ବିକ୍ରମ ବେହେରା ମଧ୍ୟ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଥିବା ଦେଖାଯାଇଥିଲା।