ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଗେର୍ଡ଼ା ପଞ୍ଚୟତର ରେଙ୍ଗାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପଦବୀ ଖାଲିଥିବାରୁ ପାଠପଢ଼ାରେ ନାନା ପ୍ରକାର ଅସୁବିଧା ଦେଖାଯାଉଛି । ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନେ ଆଜି ସ୍କୁଲ ଗେଟରେ ତାଲା ପକାଇ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଛାତ୍ରଛାତ୍ରୀଙ୍କ ସହ ସ୍କୁଲ କମିଟିର ସଭାପତି ଓ ଅନ୍ୟମାନେ ସହଯୋଗ କରିଥିଲେ । ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୧୪୪ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଏହି ସ୍କୁଲରେ କେବଳ ୩ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବାବେଳେ ଜଣେ ସହକାରୀ ପ୍ରଧାନ ଶିକ୍ଷୟିତ୍ରୀ ସରକାରୀ କାମ କରୁଥିବାରୁ ବାକି ୨ଜଣରେ ପାଠପଢ଼ାରେ ଅସୁବିଧା ଦେଖାଦେଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ଉଚ୍ଚ କର୍ତ୍ତୃପକ୍ଷ ସ୍କୁଲକୁ ଆସି ନ ଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି । ପରେ ସିଆରସିସି ଦୀର୍ଘ ୩ ଘଣ୍ଟା ବିଳମ୍ବରେ ସ୍କୁଲରେ ପହଞ୍ଚି ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀ ଓ ଅଭିବାବକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନଥିଲା । ଛାତ୍ରଛାତ୍ରୀ ଓ ଗାଁ ଲୋକେ ତାଙ୍କ ଜିଦରେ ଅଟଳ ରହିଛନ୍ତି । ଆମକୁ ଯେତେଦିନ ପର୍ଯ୍ୟନ୍ତ ଶିକ୍ଷକ ନ ଦେବେ ସେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସ୍କୁଲ ସଭାପତି ପ୍ରକାଶ କରିଛନ୍ତି । ଅନ୍ୟପଟେ ଆମ ବ୍ଲକରେ ଶିକ୍ଷକ ଅଭାବ ରହିଛି ଏବଂ ଯଥାଶୀଘ୍ର ପଦବୀ ପୂରଣ କରଯିବ ବୋଲି ପାଟଣାଗଡ଼ ବିଇଓ ଶଙ୍କର ମାଝୀ କହିଛନ୍ତି । ଏହି ଧାରଣାରେ ସ୍କୁଲ କମିଟିର ସଭାପତି କଦମ୍ବ ମାଝୀ, ହେମନ୍ତ ସିଂ ବାବୁ, ପ୍ରଦୀପ କୁମାର୍ ମେହେର, ସୁରେନ୍ଦ୍ର ମହାନନ୍ଦଙ୍କ ସମେତ ବହୁ ଛାତ୍ରଛାତ୍ରୀ ଓ ଅଭିବାବକ ସାମିଲ ଅଛନ୍ତି ।