ଅମୃତ କଲସ ସୁନା ଗହଣା ଦୋକାନରୁ ଲୁଟ ଘଟଣା: ୪ ଡ଼କାୟତ ଗିରଫ ଓ ଦେଶୀ ପିସ୍ତଲ ସହ ୨ଟି ଗୁଳି ଜବତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ସହରର ମୁଖ୍ୟ ରାସ୍ତାରେ ଥିବା ଅମୃତ କଲସ ସୁନା ଗହଣା ଦୋକାନରେ ଗତ ମାସ ୫ ତାରିଖରେ ୬ଜଣ ଦୁର୍ବୁତ୍ତ ପଶି ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରି ୨କେଜି ସୁନା ଅଳଙ୍କାର ଓ ୪୨ ହଜାର ଟଙ୍କା ଲୁଟ କରି ନେଇଥିଲେ । ଉକ୍ତ ଘଟଣାକୁ କେନ୍ଦ୍ର କରି ପାଟଣାଗଡ଼ ମାରୱାଡ଼ି ସମାଜ ଓ ବଣିକ ସଂଘ ପକ୍ଷରୁ ବଲାଙ୍ଗିର ଏସପିଙ୍କୁ ଭେଟି ଶୀଘ୍ର ଡକାୟତଙ୍କୁ ଧରିବା ପାଇଁ ଏକ ଦାବି ଜଣାଇଥିଲେ । ପରେ ଏସପି ଏକ ଟିମ ଗଠନ କରିଥିଲେ । ପାଟଣାଗଡ଼ ପୁଲିସ ଏହି ଡକାୟତି ଘଟଣାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଚଢ଼ଉ କରି ପାଟଣାଗଡ଼ ନିକଟବର୍ତ୍ତୀ ସମଲେଶ୍ୱର ଗାଁରୁ ଡାକ୍ତର ବଗର୍ତ୍ତି ରାମପୁରର ଆବାଜ ମେହେର, ବରଗଡ଼ ଜିଲ୍ଲାର ବିଜେପୁରର ଚନ୍ଦ୍ରମଣି ମେହେର ଓ ବିରାମହରାଜପୁର ଉଲୁଣ୍ଡାରୁ ଅଲେଖ ବଡ଼ିହାରୀଙ୍କୁ ଧରି ଅଧିକ ପଚରାଉଚରା କରିଥିଲେ । ସେମାନଙ୍କଠାରୁ ଏକ ଦେଶୀ ପିସ୍ତଲ, ୮ ଏମଏମର ୨ଟି ଗୁଳି ଓ ୪୨ହଜାର ୫୦୦ ଟଙ୍କା ଜବତ କରି ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଥିବା ନେଇ ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡ଼ିଛି । ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଏସଡିପିଓ କହିଛନ୍ତି । ଏହି ସମୟରେ ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପ୍ରଧାନ ଉପସ୍ଥିତ ଥିଲେ ।