ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୮୦ ବୋତଲ କଫ ସିରଫ, ୨୦ ଲିଟର ଦେଶୀ ମଦ ଓ ମୋପେଡ଼ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବନ୍ଦେପଦର ଗାଁର ଭୁବନେ ନାଗ ଓ ଗୌରେନମୁଣ୍ଡା ଗାଁର ଜିତୁ ବନଛୋର(୧୯) । ଖପ୍ରାଖୋଲ ଥାନା ଅନ୍ତର୍ଗତ ବନ୍ଦେପଦର ଗାଁର ଭୁବନେ ଏକ ଟିଭିଏସ ଏକ୍ସଏଲ ମୋପେଡ ଗାଡ଼ିରେ ବେଆଇନ ଭାବେ ଦେଶୀ ମଦ ଆଣୁଥିବା ବିଶେଷ ସୂତ୍ରରୁ ଖବର ପାଇ ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ସତ୍ୟ ନାରାୟଣ ଦାସ ଓ ତାଙ୍କ ଟିମ ଚଢ଼ଉ କରିଥିଲେ । ଏହି ସମୟରେ ଗାଡ଼ି ସହ ମଦ ଜବତ କରି ଭୁବନେକୁ ପାଟଣାଗଡ଼ ଅଫିସକୁ ଆଣି ଅଧିକ ପଚରାଉଚରା କରିଥିଲେ ।
ସେହିପରି ଗାଇସିଲେଟ ଥାନା ଅନ୍ତର୍ଗତ ଗୌରେନମୁଣ୍ଡା ଗାଁର ଜିତୁଙ୍କୁ ସନ୍ଦେହ କରି ପଚାରିବାରୁ ତାଙ୍କ ନିକଟରୁ ୨୮୦ ବୋତଲ ଏସ କଫ ସିରଫ ମିଳିଥିଲା । ଜବତ ହୋଇଥିବା ଏସ କଫ ସିରଫର ମୂଲ୍ୟ ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି । ଏସଂକ୍ରାନ୍ତରେ ୨ଟି ମାମଲା ରୁଜୁ କରି ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ଅଧିକାରୀ କହିଛନ୍ତି । ଏହି ଚଢ଼ଉ ସମୟରେ ପାଟଣାଗଡ଼ ଅବକାରୀ ବିଭାଗର ଅଜିତ ସାହୁ, ବୁଲୁ ସେଠୀ, ଗୁଣମତି ମାଝୀ, ଦୁଲେଶ୍ୱର କୁମୁରା ଓ କଣ୍ଟାବାଞ୍ଜି ଅଧିକାରୀ ବଳରାମ ପ୍ରଧାନ ଉପସ୍ଥିତ ଥିଲେ।