ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ, କୋଭିଡ ବିରୋଧୀ ଲଢେଇରେ ବିଶ୍ବକୁ ସହଯୋଗ କରିଛି ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଆସନ୍ତାକାଲି ଦେଶ ୭୬ ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଆଜି ସଂଧ୍ୟାରେ ଦେଶକୁୁୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶବାସୀ ଓ ସମଗ୍ର ବିଶ୍ବରେ ଥିବା ଭାରତୀୟଙ୍କୁ ସେ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ୧୪ ଅଗଷ୍ଟକୁ ଦେଶ ବିଭାଜନ ବିଭିଷୀକା ସ୍ମୃତି ଦିବସ ଭାବେ ପାଳନ କରୁଛି । ଏହି ଦିବସର ଉଦ୍ଦେଶ୍ୟ ସାମାଜିକ ସଦଭାବନା ଓ ଏକତା ବଢାଇବା ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ । ସେହିପରି ନିଜ ସମ୍ବୋଧନରେ ମହିଳା ସଶକ୍ତିକରଣ, କୋଭିଡ ବିରୋଧୀ ଲଢେଇ, ପରିବେଶ ସୁରକ୍ଷା ପ୍ରସଙ୍ଗକୁ ସ୍ଥାନ ଦେଇଛନ୍ତି ରାଷ୍ଟ୍ରପତି ।

ନିଜ ସମ୍ବୋଧନରେ ସ୍ବାଧୀନତା ସଂଗ୍ରମୀଙ୍କୁ ସ୍ମରଣ କରିବା ସହ ନମନ କରିଛନ୍ତି ରାଷ୍ଟ୍ରପତି । ସ୍ବାଧୀନତା ପ୍ରାପ୍ତି ପାଇଁ ସେମାନେ ସର୍ବସ୍ବ ବଳିଦାନ ଦେଇଛନ୍ତି । ଫଳସ୍ବରୁପ ଆମେ ଆଜି ସ୍ବାଧୀନ ହୋଇଛୁ । ତେଣୁ ସେମାନଙ୍କୁ ଆଜି କୃତଜ୍ଞତାର ସହ ରାଷ୍ଟ୍ରବାସୀ ମନେ ପକାଉଛନ୍ତି । ସେମାନଙ୍କ ତ୍ୟାଗକୁ ସ୍ମରଣ କରିବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି । ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ଉଦାହରଣ ଦେଇ ରାଷ୍ଟ୍ରପତି କହିଛନ୍ତି, “ଅନ୍ୟ କିଛି ଗଣତାନ୍ତ୍ରିର ରାଷ୍ଟ୍ରରେ ମତାଧିକାର ସାବ୍ୟସ୍ତ କରିବାର ଅଧିକାର ମହିଳାଙ୍କୁ ବହୁ ବିଳମ୍ବରେ ପ୍ରାପ୍ତ ହେଉଛି । କିନ୍ତୁ ଭାରତ ଆରମ୍ଭରୁ ସାର୍ବଭୌମିକ ବୟସ୍କ ମତାଧିକାର ପ୍ରଦାନ କରିଛି ।”

ଚଳିତ ବର୍ଷ ଦେଶବ୍ୟାପୀ ପାଳନ ଜାରି ରହିଥିବା ଆଜାଦି କା ଅମୃତ ମହୋତ୍ସବ ସମସ୍ତ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ରାଷ୍ଟ୍ରପତି । ଗତବର୍ଷ ୨୦୨୧ ମାର୍ଚ୍ଚରେ ଦାଣ୍ଡିଯାତ୍ରାକୁ ପୁଣି ଜୀବନ୍ତ ଭାବେ ସ୍ମରଣ କରିବା ପାଇଁ ଏହି ମହୋତ୍ସବ ପାଳନ ଆରମ୍ଭ କରାଯାଇଥିଲା । ଭାରତୀୟ ସ୍ବାଧୀନତା ଆନ୍ଦୋଳନ ବିଶ୍ବରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି । ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ଉତ୍ସବ ସମସ୍ତ ଦେଶବାସୀଙ୍କୁ ସମର୍ପିତ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ।

ନିଜ ସମ୍ବୋଦନରେ ରାଷ୍ଟ୍ରପତି ଜନଜାତୀୟ ଦିବସ ପାଳନକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ଗତବର୍ଷ ଠାରୁ ନଭେମ୍ବର ୧୫ ତାରିଖକୁ ‘ଜନଜାତି ଗୌରବ ଦିବସ’ ଭାବରେ ପାଳନ କରିବାକୁ ସରକାରଙ୍କ ନିଷ୍ପତ୍ତି ଏକ ନିଶ୍ଚିତ ସ୍ୱାଗତଯୋଗ୍ୟ । ଆମର ଜନଜାତୀୟ ସମ୍ପ୍ରଦାୟ ଓ ସଂସ୍କୃତି କେବଳ ସ୍ଥାନୀୟ କିମ୍ବା ଆଞ୍ଚଳିକ ଆଇକନ୍ ନୁହେଁ ବରଂ ସେମାନେ ସମଗ୍ର ଦେଶ ପାଇଁ ପ୍ରେରଣା ଉତ୍ସ ବୋଲି ରାଷ୍ଟ୍ରପତି କହିଛନ୍ତି ।

କୋଭିଡ ମହାମାରୀ ବିରୋଧରେ ଭାରତର ସଂଘର୍ଷ ଓ ସଫଳତା କଥା ମଧ୍ୟ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି । ଭାରତ ମାନବ ଇତିହାସରେ ସବୁଠାରୁ ବଡ ଟିକାକରଣ ଅଭିଯାନକୁ ସ୍ୱଦେଶୀ ଉତ୍ପାଦିତ ଟିକା ଦ୍ବାରା ଆରମ୍ଭ କରି ସାରା ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିଛି । ଗତ ମାସରେ, ଦେଶରେ ଟିକାକରଣ ୨ ଶହ କୋଟି ଅତିକ୍ରମ କରିସାରିଛି ।

ଏହି ବୈଶ୍ବିକ ମହାମାରୀର ମୁକାବିଲା କରିବାରେ ଆମର ସଫଳତା ବିଶ୍ବର ଶକ୍ତିଶାଳୀ ତଥା ଅନ୍ୟ ବିକଶିତ ଦେଶଙ୍କ ତୂଳନାରେ ବେସ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । କୋଭିଡ ମହାମାରୀ ସମୟରେ ଭାରତ ନିଜେ ସଫଳତାର ମୁକାବିଲା କରିବା ସହ ବିଶ୍ବର ଅନ୍ୟ ଦେଶଙ୍କ ପାଇଁ ମଧ୍ୟ ସହଯୋଗୀ ଭାବେ ହାତ ବଢାଇଛି । ମହାମାରୀ ପ୍ରଭାବ ସତ୍ତ୍ବେ ମଧ୍ୟ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ମଧ୍ୟରୁ ଅନ୍ୟତମ ହୋଇପାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି ।