ଗୋଳାବାରୁଦ କାରଖାନା ସୁରକ୍ଷା କର୍ମଚାରୀଙ୍କୁ ଉଚ୍ଛେଦ ପ୍ରତିବାଦରେ ମନ୍ତ୍ରୀ ଓ ସାଂସଦଙ୍କୁ ଦାବିପତ୍ର ପ୍ରଦାନ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ବଡ଼ମାଲ ଗୋଲାବାରୁଦ କାରଖାନା ପ୍ରତିରକ୍ଷା ବିଭାଗରେ ପ୍ରାଇଭେଟ ସିକ୍ୟୁରୁଟି ଭାବେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କୁ କାରଖାନା ପକ୍ଷରୁ ଉଛେଦ କରି ସୁରକ୍ଷା ବୋର୍ଡ କାର୍ଯ୍ୟରେ ଏକ୍ସ ଆର୍ମି ମାନଙ୍କୁ ନିଯୁକ୍ତି କରିଥିବା ନେଇ ଜଣାପଡିବା ପରେ ଘରେଇ ସୁରକ୍ଷା କର୍ମଚାରୀ ମାନଙ୍କ ମଧ୍ୟରେ ଅନେକ ଅସନ୍ତୋଷ ପ୍ରକାଶ ପାଇଛି। ଯାହାକୁ ନେଇ ଅନେକ ଥର ପ୍ରତିବାଦ ହୋଇଥିବା ବେଳେ କାରଖାନାର ମହାପ୍ରବନ୍ଧକ ପ୍ରଦୀପ କୁମାର ଦାସ, ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ସତପଥୀ ଓ ଘରେଇ ସୁରକ୍ଷା କର୍ମଚାରୀଙ୍କ ଉପସ୍ଥିତିରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ହେଲେ ସମସ୍ୟାର ସମାଧାନ ହୋଇନ ଥିବା ବେଳେ ଗଣ୍ଡପତ୍ରାପାଲି ସରପଞ୍ଚ ମନୀଷ ସୁନାଙ୍କ ନେତୃତ୍ୱରେ ଆଜି ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରି ତୁରନ୍ତ ସମାଧାନ କରିବା ପାଇଁ ନିବେଦନ କରିଛନ୍ତି।ସେହିପରି ବଲାଙ୍ଗିର ସଂସାଦ ସଂଗୀତା କୁମାରୀ ସିଂଦେଓଙ୍କ ଠାରେ ବିଜେପିର ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସୂଚନା ଅନୁସାରେ ଏହି ସୁରକ୍ଷା କର୍ମଚାରୀ ମାନେ ଦୀର୍ଘ ୧୦ ବର୍ଷରୁ ଅଧିକ ହେବ କାରଖାନାରେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ଏହି କର୍ମଚାରୀମାନଙ୍କୁ ଗୋଳାବାରୁଦ କାରଖାନା ଉଚ୍ଛେଦ କରି ନୂତନ ଏକ ଡିଜିଆର ସଂସ୍ଥାକୁ ଥଇଥାନ କରି ଏକ୍ସ ଆର୍ମି ମାନଙ୍କୁ କାରଖାନାରେ ସିକ୍ୟୁରୁଟି ଭାବେ ନିୟୋଜିତ କରିବା ପାଇଁ ଯୋଜନା କରିଛି। ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହେଉଛି। ଯଦି କୌଣସି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନନେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ଘରେଇ ସୁରକ୍ଷା କର୍ମୀ ମାନେ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଘରେଇ ସୁରକ୍ଷା କର୍ମଚାରୀଙ୍କ ସଭାପତି ମନରଞ୍ଜନ ବଉକ, ସମ୍ପାଦକ ଅଶୋକ କୁମାର ସାହୁ, ନିରଞ୍ଜନ କୁମାର, ଅଚ୍ୟୁତ ସେଠ, ଶଙ୍କର ମହାନନ୍ଧ, ମଦନ ମହାନନ୍ଧ, ଦେବରାଜ ମାଝୀ, ରମେଶ ମହାନନ୍ଧ ପ୍ରମୁଖ ଉପସ୍ଥିତ ଥିଲେ।