ରିଆମାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ କଂଗ୍ରେସର ପଦଯାତ୍ରା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଅର୍ଥାତ କ୍ରାନ୍ତି ଦିବସରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ସ୍ୱାଧୀନତାର ଗୌରବ ଯାତ୍ରା ଅବସରରେ ପଦଯାତ୍ରା ଆରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ କଂଗ୍ରେସ ଜିଲ୍ଲା ପର୍ଯ୍ୟବେକ୍ଷକ ବିରେନ ପଲେଇଙ୍କ ଉପସ୍ଥିତିରେ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ରିଆମାଳ ବ୍ଲକ କଂଗ୍ରେସ ଆନୁକୂଲ୍ୟରେ ରିଆମାଳ ଦୁର୍ଗା ମଣ୍ଡପଠାରୁ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି । ଏହି ପଦଯାତ୍ରା ରିଆମାଳ, ବୁଡ଼ିଦୋ, ନାଉଲିପଡ଼ା ଓ ଟିଙ୍କବିର ଆଦି ଗ୍ରାମ ସମେତ ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ହୋଇଥିବାବେଳେ କଂଗ୍ରେସ ନେତୃତ୍ୱ ମଣ୍ଡଳୀ ଘରକୁ ଘର ବୁଲି ଦେଶ ସ୍ୱାଧୀନତାରେ କଂଗ୍ରେସର ଯୋଗଦାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିଥିଲେ । ଏହାସହ ନେହେରୁ, ଗାନ୍ଧୀ ଓ ସୁବାଷ ଚନ୍ଦ୍ର ବୋଷଙ୍କ ସମେତ ଦେଶ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାନ ଜନ ନାୟକଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଂଗ୍ରେସକୁ ବଦନାମ କରିବା ପାଇଁ କରାଯାଉଥିବା ଚକ୍ରାନ୍ତ ଏବଂ ଦେଶରେ ଦର ବୃଦ୍ଧି ଗରିବ ଜନସାଧାରଣଙ୍କ ଉପରେ ପକାଉଥିବା ପ୍ରଭାବକୁ ଘରକୁ ଘର ବୁଲି ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରିଆମାଳ ବ୍ଲକ କଂଗ୍ରେସ ସଭାପତି ସୁଶୀଲ କୁମାର ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ, ଉପସଭାପତି ସଚ୍ଚିଦାନନ୍ଦ ପଟ୍ଟନାୟକ, ନଗର କଂଗ୍ରେସ ସଭାପତି ପ୍ରକାଶ କୁମାର ଦେବତା, ବରିଷ୍ଠ କଂଗ୍ରେସ ନେତା ପ୍ରସନ୍ନ କୁମାର ପ୍ରଧାନ, ସନ୍ତୋଷ କୁମାର ସାହୁ ଓ ନେତ୍ରାନନ୍ଦ ସାମଲଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଓ କର୍ମୀ ସାମିଲ ଥିଲେ ।