ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ରଣହୁଙ୍କାର

ଦେବଗଡ଼,ଏନ୍‌ଏନ୍‌ଏସ୍‌: କେନ୍ଦ୍ର ସରକାରଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଟିକସ, ବେକାରୀ ସମସ୍ୟା ରୋକିବାରେ ବିଫଳତା, ଅଗ୍ନିପଥ ଯୋଜନାରେ ଯୁବକଙ୍କୁ ପ୍ରତାରଣା ଓ ମନମୁଖୀ ଶାସନ ପ୍ରତିବାଦରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ବହୁ ଦଳୀୟ ପୁରୁଷ ଓ ମହିଳା କଂଗ୍ରେସ କର୍ମୀ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ଉପସଭାପତି ସଚ୍ଚିଦାନନ୍ଦ ପଟ୍ଟନାୟକ, ସୁବାଷ ଚନ୍ଦ୍ର ଭୋଇ, ସମ୍ପାଦକ ବିନୋଦ ବିହାରୀ ନାୟକ, ନଗର ସଭାପତି ପ୍ରକାଶ କୁମାର ଦେବତା, ତିଲେଇବଣି ବ୍ଲକ ସଭାପତି ଗଣେଶ ପ୍ରସାଦ ନାୟକ ଓ ରିଆମାଲ ବ୍ଲକ ସଭାପତି ସୁଶୀଲ ସାହୁଙ୍କ ସମେତ ଶତାଧିକ କର୍ମୀ ଅଂଶଗ୍ରହଣ କରିଥିଲେ ।