ମୁମ୍ବାଇ,ଏଜେନ୍ସି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ସ୍ୱତନ୍ତ୍ର ଟିମ୍ ଆଜି ସକାଳୁ ଶିବସେନାର ବରିଷ୍ଠ ନେତା ସଂଜୟ ରାଉତଙ୍କ ନିବାସରେ ପହଞ୍ଚିଛନ୍ତି । ଇଡି ଟିମ୍ ରାଜ୍ୟସଭା ସାଂସଦ ସଂଜୟ ରାଉତଙ୍କ ମୁମ୍ବାଇସ୍ଥିତ ବାସଭବନରେ ପହଞ୍ଚିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଟିମ୍ ସଂଜୟ ରାଉତଙ୍କୁ ପୁରୁଣା ମାମଲାରେ ପଚରାଉଚରା କରିବେ । ଏଥି ସହିତ ଦରକାର ପଡ଼ିଲେ ନିଜ ହେପାଜତକୁ ନେଇ ମଧ୍ୟ ପଚରାଉଚରା କରିପାରନ୍ତି ।
ସୂଚନାଯୋଗ୍ୟ, ସଂଜୟ ରାଉତଙ୍କ ବିରୋଧରେ ୧୦୩୪ କୋଟି ଟଙ୍କାର ପାତ୍ର ଚଲ ଦୁର୍ନିୀତି ସହିତ ମନି ଲଣ୍ଡରିଙ୍ଗ୍ ମାମଲା ଚାଲିଛି । ତାଙ୍କୁ ଇଡି ପକ୍ଷରୁ ଏକାଧିକ ଥର ସମନ ହୋଇଛି । କିନ୍ତୁ ଯେକୌଣସି କାରଣରୁ ସଂଜୟ ରାଉତ ଇଡି କାର୍ଯ୍ୟାଳୟରେ ହାଜର ହୋଇନାହାନ୍ତି । ଏହା ପୂର୍ବରୁ ସେ ଉପରାଷ୍ଟ୍ରପତି ନିର୍ବାଚନର ଆଳ ଦେଖାଇ ସଂଜୟ ରାଉତ ପ୍ରଚାରରେ ବ୍ୟସ୍ତ ଥିବା କଥା କହିଥିଲେ । ଇଡି ସମ୍ମୁଖରେ ହାଜର ହେବା ପାଇଁ ସମୟ ମାଗିଥିଲେ ।