ଅବସର ପୂର୍ବରୁ ଗିରଫ ହେଲେ ଜିଲ୍ଲା ଶିକ୍ଷାଧିକାରୀ

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: ଅବସର ପୁର୍ବରୁ ଅଧିକ ଅର୍ଥ କମାଇବା ଇଚ୍ଛା ହେଲା କାଳ । ଆଜି ଅବସର ନେଇଥାନ୍ତେ କିନ୍ତୁ ବଦଳି କରାଇବା ପାଇଁ ଲାଞ୍ଚ ନେଇ ଗତ ବୁଧବାର ଦିନ ଠାରୁ ଭିଜିଲାନ୍ସ ପଞ୍ଝାରେ ରହିଛନ୍ତି ଜିଲ୍ଲା ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ସଞ୍ଜୀବ ସିଂ । ପୂର୍ବରୁ ନିଜର ମନୋମୁଖୀ ଓ ଲାଞ୍ଚଖୋର ମନୋବୃତ୍ତି ଯୋଗୁଁ ବିବାଦରେ ରହି ଆସିଥିଲେ ଶିକ୍ଷାଧିକାରୀ । ଏବେ ତାଙ୍କ ଗିରଫଦାରୀ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି । ଗତ ୩ ମାସ ମଧ୍ୟରେ କେନ୍ଦ୍ରାପଡ଼ାର ୩ ଜଣ ବରିଷ୍ଠ ଅଧିକାରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି ।

ରାଜ୍ୟ ସରକାରଙ୍କ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଶିକ୍ଷା ବିଭାଗରେ ହୋଇଛି ଧୂଆଁବାଣ। ଶିକ୍ଷାର ମନ୍ଦିରରେ ଦୁର୍ନୀତି ଏତେ ମାତ୍ରାରେ ବଢିଯାଇଛି ଯେ ଗତ ୩ ମାସ ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଲେଣି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗର ୩ଜଣ ବରିଷ୍ଠ ଅଧିକାରୀ । ଗତ ମେ ମାସ ୧୧ ତାରିଖରେ ମାର୍ଶାଘାଇ ବ୍ଲକ ଶିକ୍ଷାଧୀକାରୀ ଶତ୍ରୁଘ୍ନ ବେହେରା ଜଣେ ପୂର୍ବତନ କର୍ମଚାରୀଙ୍କ ପ୍ରୋଭିଜିନାଲ ପେନସନ କରାଇବା ପାଇଁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ମଧ୍ୟ ଚକମା ଦେଖାଇ ଅଦ୍ୟାବଧି ଫେରାର ଅଛନ୍ତି । ବିଇଓ ଜଣଙ୍କ ଫେରାର ହୋଇଯାଇଥିଲେ ମଧ୍ୟ ତାଙ୍କ ପ୍ରତି ଯଥୋଚିତ ପଦକ୍ଷେପ ନନେଇ ମାସାଧିକ କାଳ ଘଣ୍ଟ ଘୋଡାଇଥିଲେ ଡିଇଓ ବୋଲି ଅଭିଯୋଗ ହେଉଛି ।

ସେହିପରି ଜଣେ ଶିକ୍ଷକଙ୍କ ବଦଳି ପାଇଁ ଡେରାବିଶ୍ ଅତିରିକ୍ତ ବ୍ଲକ ଶିକ୍ଷାଧୀକାରୀ ବିପିନ ବିହାରୀ ସିଂହ ଗତ ଜୁନ ୧୦ ତାରିଖରେ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା । ଏସବୁ ଘଟଣାରୁ ସାମାନ୍ୟତମ ଶିକ୍ଷା ନପାଇ ଚାକିରିର ଶେଷ ସମୟରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ଲାଞ୍ଚଖୋର ମନୋବୃତ୍ତି ନେଇ ଜଣେ ପିଅନ ଠାରୁ ୨୦ ହଜାର ଟଙ୍କା ବଦଳି କ୍ୟାନସଲ କରିବା ଓ ଡେପୁଟେସନ ପାଇଁ ଜଣେ ପୂର୍ବ ସହ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ବନ୍ଧା ହେବା ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି।