କାର୍ଯ୍ୟାଳୟକୁ ନିୟମିତ ଆସୁନାହାନ୍ତି କନିଷ୍ଠ ଯନ୍ତ୍ରୀ, ବିକାଶ ମୂଳକ କାର୍ଯ୍ୟ ବ୍ୟାହତ

କର୍ଲାମୁଣ୍ଡା,ଏନ୍ଏ‌ନ୍ଏ‌ସ୍‌: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ଅନେକ ସରକାରୀ ପଦବୀ ଦୀର୍ଘ ଦିନ ହେବ ଖାଲିପଡ଼ିଛି। ଏଥି ଯୋଗୁଁ ବ୍ଲକର ଉନ୍ନୟନ କାର୍ଯ୍ୟ ବ୍ୟାହତ ହେଉଛି। ୧୨ଟି ପଞ୍ଚାୟତକୁ ନେଇ ବ୍ଲକ୍‌ ଗଠିତ ହୋଇଥିବା ବେଳେ ୧୨ଟି ପଞ୍ଚାୟତକୁ ମାତ୍ର ୩ ଜଣ କନିଷ୍ଠ ଯନ୍ତ୍ରୀ ଦାୟିତ୍ବରେ ରହିଛନ୍ତି। ୧୨ଟି ଗ୍ରାମ ପଞ୍ଚାୟତ ଉନ୍ନୟନ କାର୍ଯ୍ୟଗୁଡିକ ଠିକ୍‌ ଭାବେ ତଦାରଖ ହୋଇପାରୁ ନଥିବାରୁ ଅନେକ ବିକାଶମୂଳକ କାର୍ଯ୍ୟଗୁଡିକ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅଭିଯୋଗମତେ ବୋରପଦର, ଜୋରାଡ଼ବରା, ରେଗଡା, ସାପଲହରା ଗ୍ରାମ ପଞ୍ଚାୟତର ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ଶିର୍କା ବ୍ଲକ୍‌ କାର୍ଯ୍ୟାଳୟକୁ ନିୟମିତ ଭାବେ ଆସୁ ନଥିବାରୁ ବିଭିନ୍ନ ସରକାରୀ ଯୋଜନାରେ ଶ୍ରମିକ ମାନେ କାମ କରିଥିବା ପାଉଣା ଠିକ ଭାବରେ ପାଇପାରୁ ନାହାନ୍ତି।

କନିଷ୍ଠ ଯନ୍ତ୍ରୀ ଶ୍ରୀ ଶିର୍କା ବାବୁ ସଦର ମହକୁମା ଭବାନୀ ପାଟଣାରେ ରହି କିଛି ଦଲାଲ ଏବଂ ଠିକାଦାର ମାନଙ୍କ ଇସାରାରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ସମ୍ମୁଖରେ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି। ଏଦିଗରେ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରିୟଦର୍ଶନୀ ମିର୍ଦ୍ଧାଙ୍କ ନିରବ କାର୍ଯ୍ୟ କଳାପକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି। ଅନ୍ୟପଟେ ଚର୍ଚ୍ଚାର ବିଷୟ ପାଲଟିଛି କର୍ଲାମୁଣ୍ଡା ବ୍ଲକରେ ୧୦ରୁ ୧୫ ଶତକଡା ପିସି କାରବାର। ଏଦିଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।