ବର୍ମିଂହାମ(ଇଂଲଣ୍ଡ),ଏଜେନ୍ସି: ଶୁକ୍ରବାର ଭାରତ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଚଳିତ କମନୱେଲ୍ଥ ଗେମ୍ସ ୨୦୨୨ରେ(Commonwealth Games 2022 ) ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ମହିଳା ଟେବୁଲ ଟେନିସ ଇଭେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ଦମଦାର ବିଜୟ ହାସଲ କରିଛି । ମନିକା ବାତ୍ରାଙ୍କ ନେତୃତ୍ବରେ ଭାରତ, ପ୍ରତିଯୋଗିତାରେ ପ୍ରଥମ ବିଜୟର ସ୍ବାଦ ଚାଖିଛି । ମହିଳା ଟେବୁଲଟେନିସ ଇଭେଣ୍ଟରେ ଦକ୍ଷିଣ ଆଫ୍ରିକାକୁ 3-0ରେ ହରାଇଛି ଭାରତ ।
ଗ୍ରୁପ ୨ ମହିଳା ଟିମ ଇଭେଣ୍ଟରେ ନ୍ୟାସନାଲ ଚାମ୍ପିଅନ ଶ୍ରୀଜା ଅକୁଳାଙ୍କ ସହିତ ୨୦୧୮ ଗୋଲ୍ଡକୋଷ୍ଟ କମନୱେଲ୍ଥ ଗେମ୍ସ ସ୍ବର୍ଣ୍ଣ ବିଜେତା ମନିକା ବିଜୟ ସହ ଆଗୁଆ ହୋଇଛନ୍ତି । ଡବଲ୍ସ ଯୋଡି ରିତ ଟେନିସନ ଓ ଶ୍ରୀଜା ଅକୁଳା ପ୍ରଥମେ ଦକ୍ଷିଣ ଆଫ୍ରିକାର ଲୈଲା ଏଡୱାର୍ଡସ ଓ ଡାନିସା ପଟେଲଙ୍କ ଯୋଡିକୁ ୧୧-୭, ୧୧-୭, ୧୧-୫ରେ ହରାଇଥିଲେ । ପରେ ମନିକା ଦକ୍ଷିଣ ଆଫ୍ରିକୀୟ ମୁସଫିକ କଲାମଙ୍କୁ ୧୧-୫, ୧୧-୩ ଓ ୧୧-୨ରେ ସିଙ୍ଗଲ୍ସ ମ୍ୟାଚ୍ରେ ହରାଇଛନ୍ତି ।ମନିକାଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଶ୍ରୀଜା ମଧ୍ୟ ଡାନିସା ପଟେଲଙ୍କୁ ସିଧାସଳଖ ସେଟ୍ରେ ୧୧-୫, ୧୧-୩, ୧୧-୬ରେ ହରାଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩-୦ ବିଜୟ ପରେ ଭାରତକୁ ଆଉ ଶେଷ ଦୁଇଟି ସିଙ୍ଗଲ୍ସ ମୁକାବିଲାର ଆବଶ୍ୟକତା ନାହିଁ । ଭାରତ ମହିଳା ଟିମ ଟେବୁଲ ଟେନିସ ଇଭେଣ୍ଟରେ ତା’ର ଗ୍ରୁପ ୨ର ଦ୍ବିତୀୟ ଟାଏ ଫିଜି ବିପକ୍ଷରେ ଖେଳିବ । ଫିଜି ୦-୩ରେ ଗୁୟାନା ଠାରୁ ପରାସ୍ତ ହୋଇଛି । ଶନିବାର ଗୁୟାନା ସହ ଭାରତର ମୁକାବିଲା ରହିଛି ।
ଭାରତ ଗୋଲ୍ଡକୋଷ୍ଟ କମନୱେଲ୍ଥ ଗେମ୍ସରେ ଶକ୍ତିଶାଳୀ ସିଙ୍ଗାପୁରକୁ ଫାଇନାଲରେ ହରାଇ ଐତିହାସିକ ସ୍ବର୍ଣ୍ଣ ପଦକ ହାତେଇଥିଲା । ସିଙ୍ଗାପୁର ଚଳିତ ପ୍ରତିଯୋଗିତାର ପ୍ରଥମ ମୁକାବିଲାରେ ଆୟୋଜକ ଇଂଲଣ୍ଡକୁ ୩-୦ରେ ହରାଇସାରିଛି ।