ଭଉଣୀ ପ୍ରେମିକର ଭାଉଜକୁ ଦୁଷ୍କର୍ମ କଲା ପ୍ରେମିକାର ନାବାଳକ ଭାଇ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ରିଆମାଳ ଥାନା ଗୁଣ୍ଡିଆପାଲି ପଞ୍ଚାୟତ ଅନ୍ତର୍ଗତ ମାଘୁମୁଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଭଉଣୀକୁ ପଡ଼ୋଶୀ ଘର ଯୁବକ ନେଇ ଫେରାର ହୋଇଯିବା ପରେ ପ୍ରତିଶୋଧ ପରାୟଣ ହୋଇ ତା’ ଭାଇ ପ୍ରେମିକର ଭାଉଜକୁ ଦୁଷ୍କର୍ମ କରିଥିବା ନେଇ ରିଆମାଳ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ରିଆମାଳ ଥାନା ପୁଲିସ ଦୁଷ୍କର୍ମ ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ନାବାଳକକୁ ଅଟକ ରଖିଥିବା ଜଣାପଡ଼ିଛି ।

ମିଳିଥିବା ରିପୋର୍ଟ ମୁତାବକ, ମାଘୁମୁଣ୍ଡା ଗ୍ରାମର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ୨୦ ବର୍ଷୀୟ ପ୍ରେମିକ ରାୟ ମୁଣ୍ଡା ନେଇ ଫେରାର ହୋଇଯାଇଥିଲା । ଏନେଇ ରିଆମାଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ହେଲେ ସୋମବାର ବିଳମ୍ବିତ ରାତିରେ ନିଖୋଜ ୧୩ ବର୍ଷୀୟ ନାବାଳିକାର ୧୫ ବର୍ଷୀୟ ନାବାଳକ ଭାଇ ରାୟଙ୍କ ଘରେ ପଶି ତାଙ୍କ ଭାଉଜଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା । ଏଥିସହିତ ଘଟଣା ପ୍ରଘଟ କଲେ ହତ୍ୟା ଧମକ ଦେଇ ଫେରାର ହୋଇଯାଇଥିଲା । ଏନେଇ ପୀଡ଼ିତା ରିଆମାଳ ଥାନାରେ ଅଭିଯୋଗ କରିବା ପରେ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ନାବାଳକକୁ ଅଟକ ରଖିଛି । ପୁଲିସ ପଚରାଉଚୁରାବେଳେ ଅଭିଯୁକ୍ତ ନାବାଳକ ଘଟଣାକୁ ସ୍ୱୀକାର କରି କାରଣ ଦର୍ଶାଇବା ପରେ ପୁଲିସ ଆଜି ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପାଇଁ ପଠାଇଥିବା ଜଣାପଡ଼ିଛି ।