ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ଠିଆନାଳ ଗ୍ରାମ ବିଡ଼ିଘାଟ ସାହିରେ ଏକ ବଡ଼ ଅଘଟଣ ଘଟିଛି। ବିଷାକ୍ତ ସାପ କାମୁଡ଼ାରେ ମା’ର ମୃତ୍ୟୁ ଘଟିଥିବାବେଳେ ପୁଅ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଠିଆନାଳ ଗ୍ରାମ ବିଡ଼ିଘାଟ ସାହିର ମେଘ ଗାଗରାଇଙ୍କ ସ୍ତ୍ରୀ କାଞ୍ଚନ ଗାଗରାଇ (୩୫) ସବୁଦିନ ଭଳି ରାତିରେ ଖିଆପିଆ ସାରି ନିଜ ୯ବର୍ଷୀୟ ଶିଶୁପୁତ୍ର ଅଜିତକୁ ଧରି ଶୋଇଥିଲେ । ତେବେ ବିଳମ୍ବିତ ରାତିରେ କୌଣସି ଏକ ବିଷଧର ସାପ କାଞ୍ଚନକୁ କାମୁଡ଼ିବାରୁ କାଞ୍ଚନ ନିଦରୁ ଉଠିପଡ଼ି ସ୍ୱାମୀଙ୍କୁ ଜଣାଇଥିଲେ । ଏହି ସମୟରେ ପାଖରେ ଶୋଇଥିବା ପୁଅ ଅଜିତ ମଧ୍ୟ ଗୁରୁତର ହେବା ଦେଖି ପରିବାର ଲୋକେ ବିଳମ୍ବିତ ରାତିରେ ଉଭୟ ମା’ ଓ ପୁଅଙ୍କୁ ଚିକିତ୍ସା ପାଇଁ ପାଲଲହଡ଼ା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ମା’ ଓ ପୁଅଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସେମାନଙ୍କୁ ଅନୁଗୁଳ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଟଙ୍କା ଯୋଗାଡ଼ ପାଇଁ ସମୟ ଲାଗିବା ଦେଖି ପରିବାର ଲୋକେ ଅନୁଗୁଳ ନ ନେଇ ନିଜ ଗ୍ରାମରେ ଦେଶୀ ଚିକିତ୍ସା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ସମୟରେ ସେଠାରେ କାଞ୍ଚନଙ୍କ ମୃତ୍ୟୁ ଘଟିଥିଲା । ମା’ର ମୃତ୍ୟୁ ଦେଖି ପରିବାର ଲୋକେ ଅଜିତକୁ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବାବେଳେ ସେଠାରେ ଅଜିତ ଚିକିତ୍ସାଧୀନ ଥିଲେ ମଧ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି । ସୂଚନା ପାଇ ବାରକୋଟ ଥାନା ପୁଲିସ ମୃତଦେହ ଜବତ କରିବା ସହ ପାଲଲହଡ଼ା ଡାକ୍ତରଖାନାରେ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।