କେନାଲରେ ୨୦ ଫୁଟର ଘାଇ, ଶତାଧିକ ଏକର ଚାଷ ଜମି ଜଳମଗ୍ନ

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମେଘେଲା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ ଥିବା ହୀରାକୁଦ କେନାଲରେ ୨୦ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ସହସ୍ରାଧିକ ଏକର ଚାଷ ଜମି ଜଳମଗ୍ନ ହୋଇଛି । ଗତ ଜୁଲାଇ ୧୮ରେ ହୀରାକୁଦ ଡ୍ୟାମର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ହୀରାକୁଦ ଡ୍ୟାମର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ହୀରାକୁଦ ଡ୍ୟାମର ଅତ୍ୟଧିକ ପାଣି ସହ ବର୍ଷା ପାଣି ପଶିବା ଯୋଗୁ କେନାଲରେ ମଧ୍ୟ ପାଣି ଛଡ଼ାଯାଇଛି । କେନାଲରେ ଘାଇ ସୃଷ୍ଟି ହେବା ଯୋଗୁ ସାହାଜବାହାଲ, ପଧାନପାଲି ଓ କୁଇବାହାଲ ଗାଁର ଶହଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି । ଧାନ କ୍ଷେତରେ ପାଣି ପଶିବା ଯୋଗୁ ଫସଲ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ସେଥିପାଇଁ ତୁରନ୍ତ ଏହାର ମରାମତି କରିବାକୁ ଦାବି କରିଛନ୍ତି । ତେବେ ନିମ୍ନମାନର କାମ ହୋଇଥିବାରୁ କେନାଲରେ ଘାଇ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଏଥିପ୍ରତି ଜଳ ସେଚନ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି ।