ହଇଜା ନେଲାଣି ୯ ଜୀବନ, ସ୍ଥିତି ଅନୁଧ୍ୟାନ କଲେ ଦୁଇ ମନ୍ତ୍ରୀ

ରାୟଗଡ଼ା,ଏନ୍‌ଏନ୍‌ଏସ୍‌: କାଶିପୁରରେ ପୁଣିଥରେ ହଇଜା ନେଲା ଆଉ ଜଣଙ୍କର ଜୀବନ। ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି। ମୃତକ ଜଣକ ହେଉଛନ୍ତି ଡୁଡୁକାବାହାଲ ପଞ୍ଚାୟତ ଡେଙ୍ଗାଗୁଡା ଗ୍ରାମର ଅର୍ଜୁନ ଜାନି (୫୫)। ଡେଙ୍ଗାଗୁଡା ଗାଁର ୬ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହେବାରୁ ସେମାନଙ୍କୁ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅର୍ଜୁନ ଗତ ୩ ଦିନ ପୂର୍ବେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଗତକାଲି ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ ଗତକାଲି ରାତିରେ ପୁଣି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ଏବଂ ଆଜି ଭୋରରୁ ତାଙ୍କ ମୃତ୍ୟୁ ଘଟିଥିଲା। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି। ଅପରପକ୍ଷରେ ହଇଜା ବ୍ୟାପିବାର ୧୩ ଦିନ ପରେ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ଆଇନ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା।

ଉଭୟ ମନ୍ତ୍ରୀ ଆଜି କାଶୀପୁର ବ୍ଲକର ହଇଜା ପ୍ରଭାବିତ ଟିକିରି ଝୋଡିଆ ସାହି ଓ ଦୁଡୁକାବାହାଲ ଗ୍ରାମକୁ ଯାଇ ମୃତକ ଓ ଆକ୍ରାନ୍ତଙ୍କ ପରିବାରକୁ ଭେଟିବା ସହ ପାରିପାର୍ଶ୍ଵିକ ସ୍ଥିତିର ଅନୁଧ୍ୟାନ କରିଥିଲେ। ଏଥିସହ ଉଷାପଡା, ନୂଆପଡା, ଟିକିରି ମେଡିକାଲ ଠାରେ ଆକ୍ରାନ୍ତଙ୍କ ଚିକିତ୍ସା ନେଇ ସମୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଥିବା ଆକ୍ରାନ୍ତ ଓ ସେମାନଙ୍କ ପରିବାରକୁ ଚିକିତ୍ସା ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏଥି ସହ ଜିଲ୍ଲାପାଳ ସ୍ୱଧା ଦେବ ସିଂ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର, ସିଡିଏମ୍‌ଓ ଡାକ୍ତର ଲାଲମୋହନ ରାଉତରାୟ, ଡିପିଏମ୍‌ ରାଜେଶ୍ୱର ପଟ୍ଟନାୟକଙ୍କୁ ବର୍ତ୍ତମାନ ସ୍ଥିତି ବୁଝିବା ସହିତ ଉଚ୍ଚିତ ସେବା ପ୍ରଦାନ ପାଇଁ ଉଭୟ ମନ୍ତ୍ରୀ ନିର୍ଦ୍ଦେଶେ ଦେଇଥିଲେ।

ଏଣେ ବିଭିନ୍ନ ଗ୍ରାମରେ କିଭଳି ଏହା ବ୍ୟାପିଲା ତାହାର ସୂଚନା ବିଧାୟକ ମକରନ୍ଦ ମୁଦୁଲି ଓ ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ପ୍ରଦାନ କରିଥିଲେ। ପରିଦର୍ଶନ ପରେ ଏକ ସମୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସେବାରେ ପରିବର୍ତ୍ତନ ଆଣିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ହଇଜା ବ୍ୟପିଥିବା ଅଞ୍ଚଳରେ ଲୋକଙ୍କୁ ତ୍ୱରିତ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ କାଶୀପୁର ବ୍ଲକର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୁରଣ ପାଇଁ ଉଦ୍ୟମ ଚାଲିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଲୋକ ସଚେତନ ହେଲେ ଏହି ସ୍ଥିତି ନିୟନ୍ତ୍ରଣ ହୋଇଯିବ। ଏତଦବ୍ୟତୀତ ଉତ୍କଳ ଆଲୁମିନା କାରଖାନା ଦ୍ଵାରା ଏକ ଭ୍ରମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି କହିଥିଲେ। ସେହିଭଳି ଟିକିରି ଠାରେ ନିର୍ମାଣଧିନ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ପୁର୍ତ୍ତବିଭାଗକୁ ସେ ନିର୍ଦ୍ଦେଶେ ଦେଇଥିଲେ । ଏଣେ ମନ୍ତ୍ରୀ ଶ୍ରୀସାରକା କହିଛନ୍ତି ଯେ, ଯେଉଁ ଦୂଷିତ ପାଣି ନିମନ୍ତେ ଏହି ରୋଗ ବ୍ୟାପିଲା ଆଗାମୀ ଦିନରେ ସେଥିରେ ପରିବର୍ତ୍ତନ ଘଟିବ।

ଲୋକଙ୍କୁ ସ୍ୱଛ ଜଳଯୋଗାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଥିଲେ। ତେବେ ଉଭୟ ମନ୍ତ୍ରୀଙ୍କୁ ଟିକିରି ଓ ଦୁଡୁକାବାହାଲ ଠାରେ ସ୍ଥାନୀୟ ଲୋକେ ସେମାନଙ୍କ ସମସ୍ୟା ଜଣାଇଥିଲେ। ଉଚ୍ଚିତ ସ୍ୱାସ୍ଥସେବା ମିଳୁନଥିବା ଓ ଡାକ୍ତର ଅଭାବ ସର୍ବଦା ଲାଗିରହୁଥିବା ଅଭିଯୋଗ କରିଥିଲେ। ତେବେ ପ୍ରତିଦିନ ଭିନ୍ନରୂପରେ ନୂତନ ରୋଗୀ ଚିହ୍ନଟ ହେବା କାରଣରୁ ଏହା ଗମ୍ଭୀର ରହିଥିବା ଅନୁମାନ କରାଯାଉଛି। ଆଜି ମୃତ୍ୟୁ ଘଟିଥିବା ଅର୍ଜୁନ ଗତ ତିନି ଦିନ ପୁର୍ବେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଗତ କାଲି ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ ଗତ କାଲି ରାତିରେ ପୁଣି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ଓ ଆଜି ଭୋରରୁ ତାଙ୍କ ମୃତ୍ୟୁ ଘଟିଥିଲା। ଯାହାକି ଚିକିତ୍ସକ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।