ବଲାଙ୍ଗିରରୁ ୪୪ ପ୍ୟାକେଟ ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ନିଶା କାରବାରର ହବ ପାଲଟିଛି। ସହରରେ ବ୍ୟାପକ ପରିମାଣରେ ବେଆଇନ ଭାବେ ନିଶା କାରବାର ଚାଲିଥିବାବେଳେ ବଲାଙ୍ଗିର ଦେଇ ରାଜ୍ୟ ତଥା ରାଜ୍ୟ ବାହାରକୁ ମଧ୍ୟ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଚାଲାଣ ହେଉଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହାର ପ୍ରମାଣ ଦେଖିବାକୁ ମିଳିଛି। ଏକ ହାଇୱାରେ ପ୍ରଚୁର ପରିମାଣରେ ଗଞ୍ଜେଇ ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ତାକୁ ଜବତ କରିଛି। ଏହି ପରିପ୍ରେକ୍ଷୀରେ ଉକ୍ତ ହାଇୱାରୁ ୪୪ ପ୍ୟାକେଟ ଗଞ୍ଜେଇ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚୁରା କରୁଛି।

ପୁଲିସର ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଏକ ହାଇୱାରେ ଟିଟିଲାଗଡ଼ ପଟୁ ବଲାଙ୍ଗିର ଅଭିମୁଖେ ପ୍ରଚୁର ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଖବରପାଇ ବଲାଙ୍ଗିର ସହରର ପ୍ରବେଶ ଦ୍ୱାର ଆରଟିଓ ଛକ ଠାରେ ସଦର ଏସଡିପିଓ ଶ୍ରୀମନ୍ତ ବାରିକଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଜଗିଥିଲେ । ହାଇୱା ଗାଡିଟି ସେଠାରେ ପହଞ୍ôଚବା ପରେ ତନଖି କରାଯାଇଥିଲା । ସେହି ସମୟରେ ୪୪ ପ୍ୟାକେଟ ଗଞ୍ଜେଇ ମିଳିଥିଲା । ପ୍ରତିଟି ପ୍ୟାକେଟରେ ୨୫ କେଜି ଲେଖାଏଁ ଗଞ୍ଜେଇ ଭର୍ତ୍ତି ଥିବା ଜଣାଯାଇଛି। ପୁଲିସ ଗାଡିର ଡ୍ରାଇଭର ନିରଞ୍ଜନ ପ୍ରଧାନଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ଡେପୁଟି କଲେକ୍ଟର ସନ୍ତୋଷ ଦାସଙ୍କ ଉପସ୍ଥିତିରେ ପୁଲିସ ଗଞ୍ଜେଇ ଜବତ କରିଥିଲା । ଡ୍ରାଇଭରର କହିବା ଅନୁଯାୟୀ ସମ୍ବଲପୁରରେ ଗାଡି ପହଞ୍ଚବା ପରେ ସେଠାରୁ ତାକୁ ଅନ୍ୟ ଜଣେ ନେଇଥାନ୍ତେ। ତେବେ ଏ ନେଇ ପୁଲିସ ତଦନ୍ତ ଜାରି ରଖିଛି।