ରାୟଗଡ଼ା,ଏନ୍ଏନ୍ଏସ୍: ନିଆରା ମଣିଷ ନିଆରା ପରମ୍ପରା । ସବୁବେଳେ ପ୍ରକୃତିର ଚଳନିରେ ବନ୍ଧା ଏ ସମାଜ ଆମେ କହୁଛୁ ରାୟଗଡ଼ା ଜିଲ୍ଲାର ଆଦମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ କଥା । ସାରା ଦେଶ ଦଶହରାରେ ମସୁଗୁଲ ଥିବା ବେଳେ ଏମାନେ କିନ୍ତୁ ପାଳିଥାନ୍ତି ଲେଉଟାଣି ଦଶହରା ।
ଅର୍ଥାତ ରାଜ ରାଜୁଡ଼ା ଶାସନ ସମୟରେ ଦଶହରା ଦିନ ରଜାଘରକୁ ଭେଟି ସାଙ୍ଗରେ ନିଜ ନିଜ ଅଞ୍ଚଳର ପ୍ରତିକ ଦେବୀଙ୍କୁ ନେଇ ରାଜାଙ୍କ ଠାରୁ ଶିରପା ପାଉଥିଲେ ଏବଂ ରାଜ ଉଆସରେ ପ୍ରତିକ ଦେବୀଙ୍କର ମଧ୍ୟ ପୂଜାର୍ଚ୍ଚନା ହେଉଥିଲା । ଦଶହରା ପରେ ଚାଲି ଚାଲି ଗାଁ ଠାକୁରାଣିଙ୍କୁ ଧରି ଯେଉଁଦିନ ନିଜ ଗାଁକୁ ଫେରନ୍ତି ସେହିଦିନ ଗାଁର ଆବାଳ ବୃଦ୍ଧବନିତା ମିଶି ପାଳନ କରିଥାନ୍ତି ଲେଉଟାଣି ଦଶହରା । ତେବେ ଏବେ ଆଉ ରାଜା ନାହାନ୍ତି କି ରାଜତନ୍ତ୍ର ନାହିଁ, କିନ୍ତୁ ବଞ୍ଚି ରହିଛି ପ୍ରଥା ।
