ଥାନା ଆଗରେ ପ୍ରେମିକାଙ୍କ ଆତ୍ମାହୁତୀ ଉଦ୍ୟମ

ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ପ୍ରେମିକଠାରୁ ଧୋକା ଖାଇବା ପରେ ପ୍ରେମିକା ଆଜି ଆତ୍ମାହୁତି ଦେବା ପାଇଁ କିରାସିନି ଧରି ଥାନାରେ ପହଞ୍ଚିଥିଲେ। ମାତ୍ର ସୋନପୁର ସଦର ଥାନା ପୁଲିସ ତାଙ୍କଠାରୁ କିରାସିନି ଛଡ଼ାଇ ନେଇ ତାଙ୍କୁ ତାଙ୍କ ଘରେ ଛାଡ଼ିଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ ବୀରମହାରାଜପୁର ଥାନା କୁମରକେଲି ଗାଁର ଜିତୁ ଖୁରା ସୋଶିଆଲ୍‌ ମିଡିଆ ଫେସ୍‌ବୁକ୍‌ରେ ତାଙ୍କ ସହ ବୌଦ୍ଧ ଜିଲ୍ଲାର ଜଣେ ଯୁବତୀଙ୍କ ବନ୍ଧୁତା ଗଢ଼ି ଉଠିଥିଲା। ପରେ ବନ୍ଧୁତାର ସମ୍ପର୍କ ଧୀରେ ଧୀରେ ନିବିଡ ହୋଇଥିଲା। ଉଭୟର ପରସ୍ପର ନିକଟତର ହୋଇଥିଲେ। ବନ୍ଧୁତାର ସମ୍ପର୍କ ପ୍ରେମର ରୂପ ନେଇଥିଲା। ପରିବାର ଲୋକଙ୍କ ଅଜାଣତରେ ଉଭୟ ବୌଦ୍ଧ ଜିଲ୍ଲାରେ ଏକ ମନ୍ଦିରରେ ବିବାହ କରିଥିଲେ। ବିବାହ ସରିବା ପରେ ଉଭୟ ଭୁବନେଶ୍ୱର ପଳାଇ ଯାଇଥିଲେ। ଉଭୟ ସ୍ବାମୀ-ସ୍ତ୍ରୀଙ୍କ ପରି ଗୋଟାଏ ରୁମ୍‌ରେ ରହୁଥିଲେ। କାମଦାମ କରି ଚଳୁଥିଲେ। ଏହାରି ଭିତରେ ପ୍ରେମିକା ୪ ମାସର ଗର୍ଭବତୀ ହୋଇଯାଇଥିଲେ। ଏକଥା ଜାଣିବା ପରେ ଜିତୁ ବାହାନା କରି ମାଆଙ୍କ ଦେହ ଖରାପ ଅଛି ବୋଲି କହି ଗାଁ’କୁ ଚାଲି ଯାଇଥିଲେ।

ପରିବାର ଲୋକଙ୍କ ସହିତ ଆଲୋଚନା କରି ଭୁବନେଶ୍ୱରରେ ରହୁଥିବା ପତ୍ନୀଙ୍କୁ ଘରକୁ ନେଇଯାଇଥିଲେ ଜିତୁ। ଶାଶୁ ଘରେ ଦୁଇ ମାସ ରହିବା ଭିତରେ ବିଭିନ୍ନ ବାହାନା କରି ରୁବୀଙ୍କୁ ମେଡ଼ିସିନ୍‌ ଖାଇବାକୁ ଦେଇଥିଲେ। ଶାଶୁ ଘର ଲୋକଙ୍କ କଥାରେ ପଡ଼ି ଯୁବତୀ ମେଡିସିନ୍‌ ଖାଇଥିଲେ। ଯାହାଫଳରେ ତାଙ୍କ ଗର୍ଭ ନଷ୍ଟ ହୋଇଯାଇଥିଲା ବୋଲି ଅଭିଯୋଗ କରିଛନ୍ତି। ଏହା ପରେ ତାଙ୍କୁ ରେଳ ଷ୍ଟେସନରେ ଛାଡି ଫେରାର ହୋଇଯାଇଥିଲେ ଜିତୁ। ଯୁବତୀ ଜଣକ ଶାଶୁ ଘରକୁ ଆସିଥିଲେ। ମାତ୍ର ପରିବାର ଲୋକେ ତାକୁ ଘରେ ପଶିବାକୁ ଅନୁମତି ଦେଇନଥିଲେ। ଏହାପରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ।

ଯୁବତୀଙ୍କ ଗୁହାରୀ ଶୁଣିବା ପରେ ଉଭୟଙ୍କୁ ଥାନାକୁ ଡାକିଥିଲେ। ବୁଝାମଣା ପରେ ଯୁବତୀ, ସ୍ୱାମୀଙ୍କ ସହିତ ଶାଶୁ ଘରକୁ ଫେରିଥିଲେ। ପୂର୍ବ ପରି ଉଭୟ ସ୍ୱାମୀ ଓ ସ୍ତ୍ରୀ ଭଳି ରହୁଥିଲେ। ଯାହାଫଳରେ ପୁଣି ଥରେ ଦୁଇ ମାସର ଗର୍ଭବତୀ ହୋଇଯାଇଥିଲେ। ଏକଥା ଜାଣିବା ପରେ ଜିତୁ ପୁଣି ଥରେ ତାଙ୍କୁ ଛାଡ଼ି ପଳାଇ ଯାଇଥିଲେ। ଏବେ ପୀଡିତା ନା ଶାଶୁଘରକୁ ଯାଇପାରୁଛନ୍ତି ନା ବାପ ଘରକୁ ଯାଇପାରୁଛନ୍ତି। କେହି ତାଙ୍କୁ ଗ୍ରହଣ କରୁନାହାନ୍ତି। ଏବେ ସେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। ଯୁବତୀ ଜଣକ ଏନେଇ ବୀରମହାରାଜପୁର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ତାଙ୍କୁ ସେଠାରୁ ନିରାଶ ହେବାକୁ ପଡ଼ିଥିଲା। ପରେ ସେ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ। ସେଠାରୁ ମଧ୍ୟ ତାଙ୍କୁ ନ୍ୟାୟ ମିଳିନଥିଲା।

ସବୁଆଡୁ ନିରାଶ ହେବା ପରେ ରୁବୀ ଆଜି କିରାସିନି ଧରି ସୋନପୁର ସଦର ଥାନାରେ ପହଞ୍ଚିଥିଲେ। ଆତ୍ମାହୁତି ଦେବା ପାଇଁ ଧମକ ଦେଇଥିଲେ। ଏକଥା ଜାଣିବା ପରେ ପୁଲିସ ତାଙ୍କ ହାତରୁ କିରାସିନି ବୋତଲ ଛଡ଼ାଇ ନେଇଥିଲା। ପୁଲିସ ତାଙ୍କୁ ତାଙ୍କ ବାପ ଘରକୁ ପଠାଇ ଦେଇଥିବା ଜଣାପଡ଼ିଛି।