ଟିଟିଲାଗଡ,ଏନ୍ଏନ୍ଏସ୍: ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ କୃଷକ ସଙ୍ଘର୍ଷ ଅଭିଯାନ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଟିଟିଲାଗଡ ବ୍ଲକ କ୍ରମାଗତ ଭାବରେ ପ୍ରାକୃତିକ ବିପର୍ଯ୍ୟୟ ର ସମ୍ମୁଖୀନ ହୋଇ ଆସୁଥିବା ବେଳେ ଅଞ୍ଚଳର ଚାଷୀ କ୍ଷତିଗ୍ରସ୍ତ ହେବାସହ ଦିନକୁ ଦିନ ତାଙ୍କ ଆୟ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା କ୍ଷୟକ୍ଷତି ପୂରଣ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଉଦ୍ଧିଷ୍ଟ ଥିବା ବେଳେ ଅଞ୍ଚଳର ଚାଷୀ ଏହି ଯୋଜନାରୁ ଲାଭ ପାଇ ପାରୁ ନଥିବା ନେଇ ସଂଘ ଅଭିଯୋଗ କରିଛି।
କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ରାଶି ପ୍ରଦାନରେ ବୀମା କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ସ୍ଥାନୀୟ ଚାଷୀ ବୀମା କମ୍ପାନୀର ଠକେଇ ଓ ଶୋଷଣର ଶିକାର ହେଉଥିବା ଦେଖାଯାଉଛି। ଟିଟିଲାଗଡ ବ୍ଲକକୁ ତୁରନ୍ତ ମରୁଡି ସହାୟତା ପ୍ରଦାନ କରିବା ସହ ସାରର କଳାବଜାରୀ ରୋକିବାକୁ ତଥା ଚାଷୀଙ୍କ ପାଇଁ ରିହାତି ମୂଲ୍ୟରେ ଉଦ୍ଧିଷ୍ଟ ଥିବା ପନିପରିବା ବିହନ ଓ ଔଷଧକୁ ଅସାଧୁ ବ୍ୟବସାୟୀ ମାନେ ଚଢ଼ା ଦରରେ ବିକ୍ରି କରୁଥିବା ବେଳେ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି ଉପସ୍ଥାପନା କରାଯାଇଛି।
ଏହି କାର୍ଯ୍ୟକ୍ରମରେ ସଂଘ ସଭାପତି ବାଳକୃଷ୍ଣ ସାଣ୍ଡ, ବିଜେପି ନେତା ମହେନ୍ଦ୍ର ଠାକୁର, ଗରିବ ସେନା ସଭାପତି ତଥା କଂଗ୍ରେସ ନେତା ବିରେନ୍ଦ୍ର ବାଗ, ଝସକେତନ ଛତର ପ୍ରମୁଖଙ୍କ ସହ ଅଞ୍ଚଳର ଶତାଧିକ ଚାଷୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।