ନୂଆଦିଲ୍ଲୀ,ଏଜେନ୍ସି: ଗତବର୍ଷ (୨୦୨୧)ରେ ନକ୍ସଲ ଆକ୍ରମଣ ୨୦୦୯ ମସିହା ଠାରୁ ୭୭ ପ୍ରତିଶତ ହ୍ରାସ ପାଇଛି । ୨୦୦୯ ରେ ନକ୍ସଲ ଆକ୍ରମଣର ମୋଟ ୨,୨୫୮ ଘଟଣା ଦେଖିବାକୁ ମିଳିଥିଲା, ଯାହା ସାରା ଦେଶରେ ସର୍ବକାଳୀନ ରେକର୍ଡ କରିଥିଲା । ତେବେ ଗତବର୍ଷ (୨୦୨୧) ରେ ସମଗ୍ର ଦେଶରେ ମୋଟ ୫୦୯ ଟି ନକ୍ସଲ ହିଂସା ମାମଲା ସାମ୍ନାକୁ ଆସିଛି । ଅନୁପାତିକ ଦୃଷ୍ଟିରୁ ଦେଖିଲେ ଗତବର୍ଷର ସଂଖ୍ୟା ୨୦୦୯ ଠାରୁ ପ୍ରାୟ ୭୭ ପ୍ରତିଶତ ହ୍ରାସ ପାଇଥିବା କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଲୋକସଭାରେ ଉତ୍ତର ରଖିଛନ୍ତି ।
କଂଗ୍ରେସ ସାଂସଦ ଅଖିଳେଶ ପ୍ରସାଦ ସିଂଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ରାୟ କହିଛନ୍ତି, ବାମପନ୍ଥୀ କାର୍ୟ୍ୟକଳାପକୁ ନିଷେଧ କରିବା ପାଇଁ କେନ୍ଦ୍ର ସରକାର ଜାରି ରଖିଥିବା ଆକ୍ସନ ପ୍ଲାନ ବାମଦଳ ପନ୍ଥୀ ଆତଙ୍କବାଦୀ ୨୦୧୫ ର ସଫଳ କାର୍ଯ୍ୟକାରୀତା ଯୋଗୁଁ ଏହି ଘଟଣାକୁ ହ୍ରାସ କରିବାରେ ସଫଳତା ମିଳିବା ସମ୍ଭବ ହୋଇଛି ।
କେବଳ ନକ୍ସଲ ଆକ୍ରମଣ ନୁହେଁ ବରଂ ବିଭିନ୍ନ ନକ୍ସଲ ପ୍ରଭାବିତ ରାଜ୍ୟରେ କମ୍ବିଂ ଅପରେସନ ବେଳେ ସାଧାରଣ ଲୋକ ଓ ସୁରକ୍ଷା ବଳର ଯବାନଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ୮୫ ପ୍ରତିଶତ ହ୍ରାସ ପାଇଛି । କମ୍ବିଂ ଅପରେସନ ବେଳେ ସାଧାରଣ ଜନତା ଓ ସୁରକ୍ଷା ବଳର ଯବାନ ଶହୀଦ ହେବା ମାମଲା ୨୦୧୦ ମହିସାରେ ସର୍ବକାଳୀନ ରେକର୍ଡ ଭାଙ୍ଗିଥିଲା । ଉକ୍ତବର୍ଷ ଏହି ସଂଖ୍ୟା ୧,୦୦୫ ରେ ପହଞ୍ଚିଥିବା ବେଳେ ୨୦୨୧ ରେ ଏହି ସଂଖ୍ୟା ମାତ୍ର ୧୪୭ ମଧ୍ୟରେ ସୀମିତ ରହିଥିବା ମନ୍ତ୍ରୀ ରାୟ ଗୃହକୁ ଅବଗତ କରିଛନ୍ତି ।
ସେହିପରି ଭୌଗଳିକ କ୍ଷେତ୍ରରୁ ବିଚାର କରାଗଲେ, ଏହି ସଂଖ୍ୟା ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି । ୨୦୧୦ ମହିହାରେ ନକ୍ସଲ ପ୍ରଭାବିତ ଭାବେ ୯୬ ଟି ଜିଲ୍ଲା ତାଲିକାଭୂକ୍ତ ଥିବା ବେଳେ ୨୦୨୧ରେ ଏହି ଜିଲ୍ଲା ସଂଖ୍ୟା ୪୬କୁ ହ୍ରାସ ପାଇଛି ।
ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ ଯୋଜନାରେ ମଧ୍ୟ ହ୍ରାସ ଘଟିଛି । ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟାରେ ହ୍ରାସ ହେତୁ ଏହି ଯୋଜନାରେ ମଧ୍ୟ ଖର୍ଚ୍ଚ ହେଉଥିବା ଅର୍ଥରାଶି ପୂର୍ବାପେକ୍ଷା ହ୍ରାସ ହୋଇଛି । ଏହି ତାଲିକାଭୂକ୍ତ ଜିଲ୍ଲା ସଂଖ୍ୟା ୨୦୧୮ ରେ ୧୨୬ ରୁ ହ୍ରାସ ପାଇ ୯୦ ରେ ପହଞ୍ଚିଥିଲା । ପରେ ଗତବର୍ଷ ଏହି ସଂଖ୍ୟା ଆହୁରି ହ୍ରାସ ପାଇଁ ୭୦ ରେ ପହଞ୍ଚିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।