ଦୁଷ୍କର୍ମୀଙ୍କ କବଳରୁ ବର୍ତ୍ତିବାକୁ ଛାତରୁ ଡେଇଁଲା ନାବାଳିକା

ଆନନ୍ଦପୁର,ଏନ୍ଏନ୍ଏସ୍: ଦୁଷ୍କର୍ମୀଙ୍କ କବଳରୁ ବର୍ତ୍ତିବାକୁ ଛାତରୁ ଡେଇଁଲା ନାବାଳିକା । ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାରେ ଭର୍ତ୍ତି । ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କଲା କଳିଙ୍ଗନଗର ପୋଲିସ । ସୂଚନା ଅନୁସାରେ, ଗତକାଲି ଆନନ୍ଦପୁର ଅଞ୍ଚଳର ଜଣେ ନାବାଳିକା ନିଜ ସାନଭାଇ ସହ ଭଉଣୀଘର କାଳିଆପାଣିକୁ ଯିବା ପାଇଁ ଡୁବୁରୀ ଛକରେ ଓହ୍ଲାଇଥିଲେ । ହେଲେ ଡୁବୁରୀରୁ ଚାଲି ଚାଲି ଯିବା ବେଳେ ଝୁମ୍ପାଣରେ କିଛି ପିଲା ସେମାନଙ୍କୁ ଅଟକାଇଥିଲେ ।

ରାତିରେ ନଯାଇ ପାଖ ସ୍କୁଲ ଘରେ ରହି ସକାଳେ ଯିବାକୁ କହିଥିଲେ। ତାଙ୍କ କଥା ମାନି ଭାଇ ଭଉଣୀ ଉକ୍ତ ସ୍କୁଲ ଘର ଛାତରେ ଆଶ୍ରୟ ନେଇଥିଲେ। ସ୍କୁଲରେ ଉଭୟେ ଥିବାବେଳେ ବିଳମ୍ବିତ ରାତିରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ହୋଇଥିଲା । ଅନ୍ୟପଟେ ନାବାଳିକାର ସାନଭାଇକୁ ପିଟି ପିଟି ସେଠାରୁ ଘଉଡ଼ାଇ ଦେଇଥିଲେ । ଆଉ ସାନଭାଇକୁ ବିଦା କରିବା ପରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ଦୁଷ୍କର୍ମୀଙ୍କ କବଳରୁ ବର୍ତ୍ତିବାକୁ ଛାତରୁ ତଳକୁ ଡେଇଁ ପଡ଼ିଥିଲେ ନାବାଳିକା ଜଣକ । ସେପଟେ ମାଡ଼ ଖାଇ ପଳାଇଥିବା ସାନଭାଇ ପାଖ ଲୋକଙ୍କୁ ଖବର କରିଥିଲା । ଖବର ପାଇ ଲୋକ ପୋଲିସକୁ ଖବର ଦେବା ପରେ ଉଭୟ ଉଦ୍ଧାର ହୋଇଥିଲେ ।