ଇଂଲଣ୍ଡ-ଭାରତ ୩ୟ ଦିନିକିଆ ଆଜି: ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ବଳ କଷିବେ ୨ ଦଳ

ମଞ୍ଚେଷ୍ଟର,ଏଜେନ୍ସି: ଇଂଲଣ୍ଡ ଓ ଭାରତ ମଧ୍ୟରେ ଆଜି ୩ୟ ତଥା ଶେଷ ଦିନିକିଆ ମ୍ୟାଚ ଖେଳାଯିବ । ମଞ୍ଚେଷ୍ଟରସ୍ଥିତ ଇମିରେଟ୍‌ସ ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଏହି ମୁକାବିଲା ଭାରତୀୟ ସମୟ ଅନୁସାରେ ଅପରାହ୍ନ ସାଢ଼େ ୩ଟାରେ ଆରମ୍ଭ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଶୃଙ୍ଖଳା ୧-୧ରେ ରହିଥିବାରୁ, ଅନ୍ତିମ ମୁକାବିଲା ହାତେଇବା ପାଇଁ ଉଭୟ ଦଳ ଉଦ୍ୟମ କରିବେ ।

ସୂଚନାଯୋଗ୍ୟ, ପ୍ରଥମ ମୁକାବିଲାରେ ଭାରତ ୧୦ ୱିକେଟ୍‌ରେ ଇଂଲଣ୍ଡକୁ ପରାସ୍ତ କରିଥିଲା । ଘରୋଇ ଦଳ ଦ୍ୱିତୀୟ ଦିନିକିଆରେ ଏହାର ପ୍ରତିଶୋଧ ନେଇଥିଲା । ଅତିଥି ଟିମ୍‌କୁ ଇଂଲଣ୍ଡ ଦ୍ୱିତୀୟ ମ୍ୟାଚରେ ୧୦୦ ରନ୍‌ରେ ପରାସ୍ତ କରିଥିଲା । ଲର୍ଡସରେ ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୯ ଓଭରରେ ସମସ୍ତ ୱିକେଟ ହରାଇ ୨୪୬ ରନ୍ ସଂଗ୍ରହ କରିଥିଲା । ଟିମ୍ ଇଣ୍ଡିଆ ୨୪୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା । କିନ୍ତୁ ଦଳର ବ୍ୟାଟରମାନେ କ୍ରମାଗତ ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ପୁରା ଟିମ୍ ୩୮.୫ ଓଭରରେ ୧୪୬ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା ।

ଲର୍ଡସରେ ଭାରତ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଦେଜା ବ୍ୟକ୍ତିଗତ ଭାବେ ସର୍ବାଧିକ ୨୯-୨୯ ରନ୍ ସଂଗ୍ରହ କରିଥିଲେ । ଉଭୟ ୪୪ଟି ଲେଖାଏଁ ବଲ୍ ଖେଳିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଚୌକା ମାରିଥିବା ବେଳେ ଜାଦେଜା ଗୋଟିଏ ଚୌକା ଓ ଗୋଟିଏ ଛକା ମାରିଥିଲେ । ଯୁବ କ୍ରିକେଟର ସୂର୍ଯ୍ୟକୁମାର ୨୭ ରନ୍‌, ବିରାଟ କୋହଲି ୧୬ ରନ୍ ସଂଗ୍ରହ କରିଥିଲେ । ସେହିପରି ମହମ୍ମଦ ସାମି ୨୩ ରନ୍ ସଂଗ୍ରହ କରିଥିବା ବେଳେ ଭାରତର ଅନ୍ୟ ବ୍ୟାଟରମାନଙ୍କ ବ୍ୟାଟିଂ ଉତ୍ସାହଜନକ ନଥିଲା ।