ନୂଆଦିଲ୍ଲୀ,ଏଜେନ୍ସି: ଟି-୨୦ ବିଶ୍ୱକପ-୨୦୨୨ରେ ସମସ୍ତ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ପାଇଁ ୧୪ଟି ଟିମ୍ ପୂର୍ବରୁ ନିଜର ସ୍ଥାନ ସୁରକ୍ଷିତ ରଖି ସାରିଥିଲା ବେଳେ ଏବେ ଜିମ୍ବାୱେ ଓ ନେଦରଲାଣ୍ଡ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଟି୨୦ ବିଶ୍ୱକପ୍ରେ ସମସ୍ତ ୧୬ ଟିମ୍
ସୁପର ୧୨: ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ
ରାଉଣ୍ଡ-୧: ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ସ୍କଟଲାଣ୍ଡ, ନାମିବିଆ, ଆୟରଲାଣ୍ଡ, ୟୁଏଇ, ଜମ୍ବାୱେ ଓ ନେଦରଲାଣ୍ଡ
ଜିମ୍ବାୱେରେ ଖେଳାଯାଉଥିବା ଏହି ଯୋଗ୍ୟତା ପର୍ଯ୍ୟାୟର ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସେମିଫାଇନାଲରେ ଆୟୋଜକ ଟିମ୍ ପପୁଆ ନ୍ୟୁ ଗୁଏନାକୁ ୨୭ ରନ୍ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୫ ୱିକେଟରେ ୧୯୯ ରନ୍ ସଂଗ୍ରହ କରିଥିଲା । ଜବାବରେ ପପୁଆ ନ୍ୟୁ ଗୁଏନା୮ ୱିକେଟରେ ୧୭୨ ରନ୍ରେ ଅଟକି ଯାଇଥିଲା । ଦ୍ୱିତୀୟ ସେମିଫାଇନାଲରେ ସଂଯୁକ୍ତ ରାଜ୍ୟ ଆମେରିକା (ୟୁଏସଏ)କୁ ନେଦରଲାଣ୍ଡ ୭ ୱିକେଟରେ ପରାସ୍ତ କରିଛି । ଆମେରିକା ପ୍ରଥମେ ବ୍ୟାଟିଂ କରି ୧୩୮ ରନ୍ରେ ଅଲଆଉଟ ହୋଇଥିଲା । ଜବାବରେ ନେଦରଲାଣ୍ଡ ୧୯ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।
ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପ ୨୦୨୦ରେ ସୁପର-୧୨ ପୂର୍ବରୁ ରାଉଣ୍ଡ-୧ ମୁକାବିଲା ହେବ । ରାଉଣ୍ଡ-୧ରେ ମୋଟ ୮ଟି ଟିମ ଅଂଶଗ୍ରହଣ କରିବେ । ଏହି ୮ଟି ଟିମ୍କୁ ୨ଟି ଗ୍ରୁପରେ ଭାଗ କରାଯିବ । ଉଭୟ ଗ୍ରୁପରୁ ଶୀର୍ଷ ୨ଟି ଟିମ୍ ସୁପର-୧୨ ଷ୍ଟେଜ ପାଇଁ କ୍ୱାଲିଫାଇ କରିବେ । ଟି୨୦ ବିଶ୍ୱକପ ୨୦୨୨ର ଆୟୋଜନ ଅକ୍ଟୋବର ୧୬ରୁ ନଭେମ୍ବର ୧୩ ଯାଏଁ ହେବ । ଭାରତର ପ୍ରଥମ ମୁକାବିଲା ଅକ୍ଟୋବର ୨୩ରେ ପାକିସ୍ତାନ ସହ ହେବ ।