ସୁରନକୋଟ ସେନା କ୍ୟାମ୍ପରେ ସାଥୀଙ୍କ ଉପରେ ଗୁଳି ଚଳାଇଲେ ଯବାନ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ପୁଂଛ ଜିଲ୍ଲାର ସୁରନକୋଟରେ ସେନା କ୍ୟାମ୍ପ ଭିତରେ ଗୁଳି ଚାଳନା ହୋଇଥିବା ଜଣାପଡ଼ିଛି । ଫଳରେ ୨ ଯବାନଙ୍କ ମୃତ୍ୟୁ ଘଟିଛି । ଉକ୍ତ ଘଟଣାଟି ସକାଳ ୫ଟା ୩୦ରେ ହୋଇଥିଲା ଯେତେବେଳେ ଜଣେ ଯବାନ ନିଜ ବ୍ୟାରେକର ଆଉ ୩ଜଣଙ୍କ ଉପରେ ଗୁଳି ଚଳାଇଥିଲେ । ପରେ ନିଜ ପେଟରେ ମଧ୍ୟ ଗୁଳି ଚଳାଇଥିଲେ । ସମସ୍ତ ଯବାନଙ୍କୁ ଉଧମପୁର ସୈନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ୨ଜଣଙ୍କ ଚିକିତ୍ସା ଜାରି ରହିଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ସେନା ସୂତ୍ର ଅନୁସାରେ, ପୁଂଛର ସୁରନକୋଟସ୍ଥିତ ୧୫୬ ପ୍ରାଦେଶିକ ବାଟାଲିୟନରେ ଆଜି ସକାଳେ ଏହି ଘଟଣା ଘଟିଛି । ଗୁଳିଚାଳନା ସେହି ସମୟରେ ହୋଇଥିଲା ଯେତେବେଳେ ଇମ୍ରାନ ଅହମ୍ମଦ ଓ ଇମତିଆଜ ଅହମ୍ମଦଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା ।