ପିସିସି ସଭାପତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଜନ ସଂପର୍କ ଅଭିଯାନ ଯାତ୍ରା ଅବସରରେ ସ୍ଥାନୀୟ କଂଗ୍ରେସ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବଥର୍ଲା ଛକଠାରୁ ୨୦୦ରୁ ଉର୍‌ଦ୍ଧ୍ୱ ମୋଟର ସାଇକେଲ ସମ୍ମିଳିତ ଏକ ବିରାଟ ଶୋଭାଯାତ୍ରାରେ ଦଳ ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟକୁ ଶ୍ରୀ ପଟ୍ଟନାୟକଙ୍କୁ ପାଛୋଟି ଅଣାଯାଇଥିଲା । ପିସିସି ସଭ୍ୟ ଅନୀଲ କୁମାର ମେହେରଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପାଟଣାଗଡ଼ ବ୍ଲକ ସମେତ ବେଲପଡ଼ା, ଖପ୍ରାଖୋଲ ଆଦି ଅଞ୍ଚଳରୁ ଯୋଗ ଦେଇଥିବା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଏବଂ ଉଦ୍ଦୀପନା ପ୍ରକାଶ ପାଇଥିବା ଦେଖାଯାଇଥିଲା । ରାମପୁରସ୍ଥିତ ଦଳୀୟ କାର୍ଯ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତୀବ୍ର ସମାଲୋଚନା କରିବା ସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳ ପକ୍ଷରୁ ନିଆଯାଇଥିବା ମିଶନ-୯୦ ଯୋଜନାକୁ ସଫଳ କରିବାକୁ କଂଗ୍ରେସ ପ୍ରେମୀମାନେ ତତ୍ପର ହେବା ପାଇଁ ନିବେଦନ କରିଥିଲେ । ବର୍ତ୍ତମାନ କଂଗ୍ରେସ ଦଳର କେବଳ ୯ଜଣ ବିଧାୟକ ରହିଥିବାବେଳେ ଆଗାମୀ ନିର୍ବାଚନରେ ୯୦ଜଣ କଂଗ୍ରେସ ବିଧାୟକ ବିଧାନସଭାକୁ ନିର୍ବାଚିତ ହେବାସହ ନବୀନ ସରକାରଙ୍କୁ ଗାଦିଚ୍ୟୁତ କରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏହି ଅବସରରେ ବିଜେପି ଏବଂ ବିଜେଡି ଦଳ ଛାଡ଼ି ବହୁ କର୍ମୀ ଏବଂ ନେତା କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଶ୍ରୀ ପଟ୍ଟନାୟକ ସେମାନଙ୍କୁ ଦଳୀୟ ଚିହ୍ନ ରହିତ ଉତ୍ତରୀୟ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧୂଭୂଷଣ ତ୍ରିପାଠୀ, ଉପେନ୍ଦ୍ର ମିଶ୍ର, ସିଦ୍ଧାର୍ଥ ମିଶ୍ର, କମ୍ଭୁପାଣି ଦାଶ, ପତିତପାବନ ପ୍ରଧାନ ଓ ଚନ୍ଦନ ସାହୁ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।