ନବବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଗିରଫ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମରୁଆଁ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ମହିଳା ଜଣକ ହେଲେ ବିଳାସିନୀ(୨୧) । ସ୍ୱାମୀ ନରେନ୍ଦ୍ର ବନଗୁଲା(୩୬)ଙ୍କ ପରିବାର ପକ୍ଷରୁ ଏହାକୁ ଆତ୍ମହତ୍ୟା କୁହାଯାଉଥିବାବେଳେ ବିଳାସିନୀର ବାପଘର ଲୋକ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଏତଲାକୁ ଭିତ୍ତି କରି ପାଟଣାଗଡ଼ ପୁଲିସ ଏକ ମାମଲା ରୁଜୁ କରିବା ସହ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଥିବା ଜଣପଡ଼ିଛି ।

ସୂଚନାଯୋଗ୍ୟ, ଖପ୍ରାଖୋଲ ଥାନା ଅନ୍ତର୍ଗତ ମହୁରୁଣ୍ଡି ଗ୍ରାମର ଡିଙ୍ଗର ବୁଡ଼େକ ଝିଅ ବିଳାସିନୀଙ୍କୁ ଗତ ଫେବୃୟାରୀ ୨୫ ତାରିଖରେ ପାଟଣାଗଡ଼ ଥାନା ମରୁଆଁ ଗ୍ରାମର ଲବ ବନଗୁଲାଙ୍କ ପୁଅ ନରେନ୍ଦ୍ରଙ୍କ ସହ ସାମାଜିକ ରୀତିନୀତି ଅନୁଯାୟୀ ବିବାହ କରାଇଥିଲେ । ବିବାହ ସମୟରେ ନିଜ ଶକ୍ତି ଅନୁଯାୟୀ ଝିଅ-ଜ୍ୱାଇଁଙ୍କୁ ଯାନି ଯୌତୁକ ଦେଇ ବିଦା କରିଥିଲେ । ବିବାହ ପରଠୁ ଏକ ମୋଟର ସାଇକେଲ, ସୁନା ଚେନ୍ ଏବଂ ଏକ ଫ୍ରିଜ ଦାବୀ କରି କୁଆଡ଼େ ବିଳାସିନୀଙ୍କୁ ନରେନ୍ଦ୍ର ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏସମ୍ପର୍କରେ ନିଜ ବାପାଙ୍କୁ ଜଣାଇବା ପରେ ମରୁଆଁ ଗାଁରେ ଭଦ୍ରବ୍ୟକ୍ତି ଏବଂ ସମାଜକୁ ନେଇ ଏକ ସଭା ମଧ୍ୟ ହୋଇଥିଲା । ଉକ୍ତ ସଭାରେ ସ୍ୱାମୀ ନରେନ୍ଦ୍ର ଭବିଷ୍ୟତରେ ବିଳାସିନୀଙ୍କୁ ଆଉ ନିର୍ଯ୍ୟାତନା ନ ଦେବା ସହ ଭଲରେ ରଖିବାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଉକ୍ତ ସମସ୍ୟାର ସମାଧାନ ହୋଇଥିଲା । ତେବେ ବିଳାସିନୀଙ୍କୁ ଜ୍ୱର ହେଉଥିଲା ଏବଂ ସେ ମୃତ୍ୟୁବରଣ କରିଥିବା ସଂପର୍କରେ ଆଜି ସକାଳ ୯ଟାରେ ଜ୍ୱାଇଁ ନରେନ୍ଦ୍ରଙ୍କଠାରୁ ଟେଲିଫୋନ ବାର୍ତ୍ତା ପାଇ କନ୍ୟାପିତା ଡିଙ୍ଗର ମରୁଆଁ ଗାଁରେ ପହଞ୍ଚିଲା ବେଳକୁ ଝିଅର ନିଶ୍ଚଳ ଶରୀର ଏକ ଖଟିଆରେ ରଖାଯାଇଥିବା ଦେଖିବାକୁ ପାଇଥିଲେ । ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରି ଡିଙ୍ଗର ବୁଡ଼େକ ପାଟଣାଗଡ଼ ଥାନାରେ ଏକ ଲିଖିତ ଏତଲା ଦାୟର କରିଥିବା ଜଣାଯାଇଛି । ଅନ୍ୟପଟେ ନରେନ୍ଦ୍ର ହତ୍ୟା ଘଟଣାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିବା ସହ ଗତ ରାତିରେ ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବଚସା ହୋଇଥିବା ସ୍ୱୀକାର କରିଥିଲେ । ଗତକାଲି ନରେନ୍ଦ୍ର ଖାଇସାରି ବିଛଣାକୁ ଯାଇଥିଲେ ମଧ୍ୟ ବିଳାସିନୀ ଶୋଇବାକୁ ନଯାଇ ବାରଣ୍ଡାରେ ବସି ରହିଥିଲେ ଏବଂ ମଧ୍ୟରାତ୍ରୀ ବେଳକୁ ନିଦରୁ ଉଠି ନରେନ୍ଦ୍ର ଦେଖିଲା ବେଳକୁ ପିନ୍ଧା ଶାଢ଼ୀକୁ ବେକରେ ଲଗାଇ ବିଳାସିନୀ ଆତ୍ମହତ୍ୟା କରିଥିବା ନରେନ୍ଦ୍ର କହୁଛନ୍ତି । କେବଳ ସେତିକି ନୁହେଁ ବିବାହ ପରେ ଏକ ଅଜଣା ଫୋନ କଲକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ଯାହାକି ପରବର୍ତ୍ତୀ ସମୟରେ ସମାଧାନ ହୋଇଯାଇଥିଲା ବୋଲି ନରେନ୍ଦ୍ର କହିଛନ୍ତି । ପୁଲିସ କିନ୍ତୁ କନ୍ୟା ପିତାଙ୍କ ଲିଖିତ ଅଭିଯୋଗକୁ ଆଧାର କରି ନରେନ୍ଦ୍ରକୁ ଗିରଫ କରି ଏନେଇ ମାମଲା ରୁଜୁ କରି ନରେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଅନନ୍ତ ପ୍ରଧାନ ସୂଚାନ ଦେଇଛନ୍ତି ।