ଫିରିଙ୍ଗିଆ,ଫୁଲବାଣୀ,ଏନ୍ଏନ୍ଏସ୍: ଫିରିଙ୍ଗିଆ ବ୍ଲକ କାଶୀନି ପଦର ପଞ୍ଚାୟତ ମାଝୀ ପଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନାଳ ପାଣିରେ ବୁଡ଼ି ଅଢ଼େଇ ବର୍ଷର ନାବାଳକ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ମିଳିଥିବା ରିପୋର୍ଟ ମୁତାବକ, ମାଝୀ ପଡ଼ା ଗାଁର ବିକାଶ କହଁରଙ୍କ ଏକମାତ୍ର ଅଢ଼େଇ ବର୍ଷର ପୁଅ ଆୟୁଷ କହଁର ମା’ ସହିତ ଘର ପାଖରେ ଥିବା ସୁଲୁକା ପଟା ନାଳରେ ଗାଧୋଇବାକୁ ଯାଇଥିଲା । ମା’ ପୁଅକୁ ବସେଇ ଶୌଚ ହେବାକୁ ଯାଇ ସଙ୍ଗେ ସଙ୍ଗେ ଫେରି ଦେଖିଲା ବେଳକୁ ପୁଅକୁ ପାଇ ନଥିଲା । ପରେ ପାଣି ଭିତରେ ପଶି ଦେଖିବା ବେଳକୁ ପୁଅ ବୁଡ଼ି ରହିଥିଲା। ପରେ ପିଲାଟିକୁ ତୁରନ୍ତ ଉଦ୍ଧାର କରି ଫିରିଙ୍ଗିଆ ମେଡ଼ିକାଲରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଫିରିଙ୍ଗିଆ ଥାନାଧିକାରୀ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟ ଫୁଲବାଣୀକୁ ପଠାଇଥିଲେ । ଫିରିଙ୍ଗିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଥିବା ଫିରିଙ୍ଗିଆ ଥାନାଧିକାରୀ ପି. ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି । ଅନ୍ୟପଟେ ଜିଲ୍ଲା ପରିଷଦ ନୀଳ ଗିରିଶ ଦିଗାଲ ଓ ଖୋଦ ଫିରିଙ୍ଗିଆ ଥାନାଧିକାରୀ ଗରିବ ପରିବାର ହୋଇଥିବାରୁ ଶବ ନେବା ଆଣିବା ଖର୍ଚ୍ଚ ବହନ କରିଥିବା ଜଣାପଡ଼ିଛି ।