ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ନିଧନ ହୋଇଛି । ସିଞ୍ଜୋଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତି କରିବା ସହ ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୁଁ ମୋର ପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କ ନିଧନରେ ସ୍ତବ୍ଧ ଓ ଦୁଃଖୀ ଅଛି । ସେ ଜଣେ ମହାନ ବୈଶ୍ୱିକ ରାଜନେତା, ଉତ୍କୃଷ୍ଟ ନେତା ଓ ଉଲ୍ଲେଖନୀୟ ପ୍ରଶାସକ ଥିଲେ । ସେ ଜାପାନ ଓ ସମଗ୍ର ବିଶ୍ୱକୁ ସୁନ୍ଦର କରିବା ପାଇଁ ନିଜ ଜୀବନ ସମର୍ପଣ କରି ଦେଇଥିଲେ ।

ମୋଦୀ ଆହୁରି ଲେଖିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପ୍ରତି ଆମର ଗଭୀର ସମ୍ମାନର ପ୍ରତୀକ ରୂପେ ଜୁଲାଇ ୯ରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ଏହି କଠିନ ସମୟରେ ଆମେ ଆମ ଜାପାନୀ ଭାଇ ଓ ଭଉଣୀଙ୍କ ସହ ଠିଆ ହୋଇଛୁ । ସିଞ୍ଜୋଙ୍କ ସହ ମୋ ସମ୍ପର୍କ ବହୁ ବର୍ଷ ପୁରୁଣା । ମୁଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କୁ ଜାଣିଥିଲି ଏବଂ ପ୍ରଧାନମନ୍ତ୍ରୀ ହେବା ପରେ ବି ଆମ ବନ୍ଧୁତା ଜାରି ରହିଥିଲା ।